ବିଶ୍ୱର ସବୁଠୁ ଧନୀ ତାଲିକା ମଧ୍ୟରେ ଥିବା ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍ ଗେଟସ ଓ ତାଙ୍କ ପତ୍ନୀ ମେଲିଣ୍ଡା ବିବାହର 27 ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଦୁହେଁ ଘୋଷଣା କରିଛନ୍ତି ଯେ, ଆଗାମୀ ଦିନରେ ସେମାନ ଆଉ ଏକାଠି ରହିବେ ନାହିଁ ।
ଏନେଇ ବିଲ୍ ଗେଟ୍ସ ଓ ମେଲିଣ୍ଡା ଏକ ବିବୃତ୍ତି ଜାରି କରିଛନ୍ତି । ଯେଉଁଠି କୁହାଯାଇଛି ଯେ, ’ ଦୀର୍ଘ ଦିନ ଧରି ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଆମେ ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ନିଷ୍ପତ୍ତି ନେଇଛୁ । ଗତ 27 ବର୍ଷ ମଧ୍ୟରେ ଆମେ 3ଟି ସନ୍ତାନକୁ ଜନ୍ମ ଦେଇଛୁ । ଏହାସହ ଏକ ଫାଉଣ୍ଡେସନ ଗଢିଛୁ ଯାହା ବିଶ୍ୱରେ ଲୋକଙ୍କୁ ଏକ ସୁସ୍ଥ ଜୀବନ ଜିଇଁବା ସହ ଆଗକୁ ନେବ । ତେବେ ଏହାସହ ସ୍ପଷ୍ଟ ଭାବରେ କହୁଛୁ ଯେ ଏହି କମ୍ପାନୀ ସହ ଆମେ ଜଡିତ ରହିବୁ । ମିଳିତ ଭାବରେ କାର୍ଯ୍ୟ କରିବୁ । କିନ୍ତୁ ଆଗକୁ ଆମେ ଦୁହେଁ ଆଉ ଏକାଠି ନ ରହିବାକୁ ନିଷ୍ପତ୍ତି ନେଇଛୁ । ଆମେ ଏକ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛୁ । ତେଣୁ ଆଶା କରୁଛୁ ଯେ ଆମ ବ୍ୟକ୍ତିଗତ ଜୀବନରେ କେହି ହସ୍ତକ୍ଷେପ ନ କରନ୍ତୁ ’ ।