ଅର୍ଗସ ବ୍ୟୁରୋ: ଭାରତ - ଚୀନ ସୀମା ବିବାଦ ପ୍ରସଙ୍ଗରେ ପଛକୁ ହଟିଛି ଚୀନ। ଗୋଟିଏ ପଟେ ଅନ୍ତର୍ଜାତୀୟ ସମୁଦାୟର ଚାପ ଏବଂ ଅନ୍ୟପଟେ ଭାରତ ଓ ଚୀନ ମଧ୍ୟରେ ଏକାଧିକ ଥର କମାଣ୍ଡରସ୍ତରୀୟ ଆଲୋଚନାର ପ୍ରଭାବ ଧୀରେ ଧୀରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଚୀନ ତାର ସେନା ପ୍ରତ୍ୟାହାର ତ୍ବରାନ୍ବିତ କରିଛି।
ଲଦାଖର ପାଙ୍ଗଙ୍ଗ ସୋ ହ୍ରଦର ଉତ୍ତରରେ ପୂର୍ବରୁ ଚୀନ ନିର୍ମାଣ କରିଥିବା ଜେଟି ଏବଂ ହେଲିପ୍ୟାଡକୁ ରାତାରାତି ଭାଙ୍ଗି ମାଟିରେ ମିଶାଇ ଦେଇଛି। ସୂଚନା ଅନୁସାରେ, ଫେବ୍ରୁଆରି ୧୦ ତାରିଖରେ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ଏହା ତତ୍କାଳ କାର୍ଯ୍ୟକାରୀ ହୋଇଥିଲା। ଫିଙ୍ଗର ଅଞ୍ଚଳରେ ଉଭୟ ପକ୍ଷ ଗତବର୍ଷ ଏପ୍ରିଲ ମାସରୁ ଯେଉଁ ନିର୍ମାଣ କରିଛନ୍ତି ତାହାକୁ ନଷ୍ଟ କରାଯିବ ଏବଂ ଯବାନମାନେ ସେମାନଙ୍କ ପୂର୍ବସ୍ଥାନକୁ ଫେରିଯିବେ। ପାଙ୍ଗଙ୍ଗ ସୋ ହ୍ରଦ ନିକଟରୁ ଯବାନ ପ୍ରତ୍ୟାହାର କାର୍ଯ୍ୟ ସଂପୂର୍ଣ୍ଣ ହେବାର ୨୪ ଘଣ୍ଟା ମଧ୍ୟରେ ଦୁଇ ଦେଶ ମଧ୍ୟରେ ୧୦ ପର୍ଯ୍ୟାୟ ସାମରିକ କମାଣ୍ଡରସ୍ତରୀୟ ଆଲୋଚନା ହେବ।