ଯାତ୍ରୀ ଜଣଙ୍କ ବିମାନର ଚଟ୍ଟାଣରେ ମୁଣ୍ଡ ରଖି ନମାଜ ପଢିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଅଟକାଇବାରୁ ସେ ବିମାନରେ ଅନେକ ହଇରାଣ ହରକତ କରିଥିବା ଦେଖିବାକୁ ମିଳିଛି ।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନ ଇଂଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ପିକେ-283 ଉଡିବା ଆରମ୍ଭ କରିବା ମାତ୍ର ଜଣେ ଯାତ୍ରୀ ନିଜ ମୁଣ୍ଡରେ କପଡା ରଖି ନମାଜ ପଢିବା ଆରମ୍ଭ କରି ଦେଇଥିଲା । ତାକୁ ଏପରି କରିବାରୁ ରୋକିବା ପରେ ସେ ରାଗି ଯାଇଥିଲା ।
ହଙ୍ଗାମା ଏତିକିରେ ଅଟକି ନ ଥିଲା । ଏହା ପରେ ସେ ଠିଆ ହୋଇ ବିମାନର ସିଟ ଗୁ଼ଡିକୁ ଜୋର ଜୋରରେ ଗୋଡରେ ମାରିବା ଆରମ୍ଭ କରି ଦେଇଥିଲା । ଏହା ପରେ ସେ ତାର ପୋଷାକ ଖୋଲି ଦେଇଥିଲା ଓ ବିମାନର ଝରକାରେ ଲାଗିଥିବା କାଚ ଅର୍ଥାତ ଗ୍ଲାସ ୱିଣ୍ଡୋକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା । ଏହି ପ୍ରକ୍ରିୟାରେ ସେ ଅନେକ ଥର ତା ହାତରେ ଏବଂ ଅନେକ ଥର ଗୋଡରେ କାଚକୁ ମାରିବାକୁ ଚେଷ୍ଟା କରିଥିଲା । ତାର ଏଭଳି କାର୍ଯକଳାପ ଦେଖି ଏହି ବିମାନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀ ମାନେ ଭୟଭୀତ ହୋଇଯାଇଥିଲେ ।
ଭାଇରାଲ ଭିଡିଓରେ ଫ୍ଲାଇଟ ଆଟେଣ୍ଡାଂଟ ଏହା କହୁଥିବା ଶୁଣିବାକୁ ମିଳୁଛି ଯେ ବିମାନ ଯାତ୍ରା ଆରମ୍ଭ ହେବା ମାତ୍ରେ ହିଁ ସେ ହରକତ କରିବା ଆରମ୍ଭ କରି ଦେଇଥିଲା । ଅନ୍ୟ ଯାତ୍ରୀ ମାନେ ତାକୁ ଦେଖିଛନ୍ତି ।
କଥା ସେତିକିରେ ରହି ନ ଥିଲା । ଯେତେବେଳେ କ୍ରିଉ ମେମ୍ବର ମାନେ ତାକୁ ବୁଝାଇବା ସହ ଏପରି ନ କରିବାକୁ କହିଥି୍ଲେ ସେ ତାଙ୍କୁ ମଧ୍ୟ ଛାଡି ନ ଥିଲା । ଏହା ପରେ କ୍ରିଉ ମେମ୍ବର ମାନେ ପରିସ୍ଥିତି ନିୟନ୍ତ୍ରଣରୁ ବାହାରକୁ ଯାଉଥିବା ଦେଖି ସେହି ଯାତ୍ରୀକୁ ତାର ସିଟ ସହ ବାନ୍ଧି ଦେଇଥିଲେ । ଏହା ପରେ ପ୍ରଟୋକଲ ଅନୁସାରେ କ୍ୟାପ୍ଟେନ ଦୁବାଇର ଏୟାର ଟ୍ରାଫିକ କଂଟ୍ରୋଲର ସହ ଯୋଗାଯୋଗ କରି ସୁରକ୍ଷା ପାଇଁ ଦାବି କରିଥିଲେ । ଦୁବାଇ ବିମାନ ବନ୍ଦରରେ ଓହ୍ଲାଇବା ମାତ୍ରେ ହିଁ ଅଧିକାରୀ ମାନେ ତାକୁ ଗିରଫ ରକି ନେଇଥିଲେ । ଏୟାର ଲାଇନ୍ସ ଦ୍ୱାରା ତାକୁ ବ୍ଲାକ ଲିଷ୍ଟ କରି ଦିଆ ଯାଇଛି । ଏହି ବ୍ୟକ୍ତି ଜଣଙ୍କ କିଏ ଓ ସେ ଏଭଳି ହରକତ କାହିଁକି କରୁଥିଲା ତାହା ବର୍ତମାନ ଯାଏ ସ୍ପଷ୍ଟ ହୋଇନାହିଁ ।
ବିଦେଶ ଖବର ଆହୁରି ପଢନ୍ତୁ ।