ଗୁରୁବାର ଉରୁଙ୍କି ଅଞ୍ଚଳରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଲକଡାଉନ୍ କଟକଣା ପାଇଁ ଆପାର୍ଟମେଣ୍ଟ ବାହାରକୁ ଆସି ପାରି ନ ଥିଲେ ଲୋକେ । ସେହି ଘଟଣା ଚୀନବାସୀଙ୍କ ଧୈର୍ଯ୍ୟ ଭାଙ୍ଗିଛି । ଲକଡାଉନ ବିରୋଧରେ ହଜାରହଜାର ଲୋକ ସଡ଼କରେ ସଂଗ୍ରାମ କରୁଛନ୍ତି । ଆନ୍ଦୋଳନକାରୀଙ୍କ ମଧ୍ୟରେ ଅଛନ୍ତି ଶହଶହ ଛାତ୍ରଛାତ୍ରୀ । ରାତିରେ ବି ଚାଲିଛି ପ୍ରତିବାଦ । ସାଙ୍ଘାଇରେ ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ପୋଲିସ ବିବିସିର ଜଣେ ରିପୋର୍ଟରଙ୍କୁ ଦୁର୍ବ୍ୟବହାର କରିଥିଲା । ତାଙ୍କୁ ଗୋଇଡ଼ା ମାରିବା ସହ ହାତକଡ଼ି ପକାଇ ଅଟକ ରଖିଥିଲା । ସାରା ବିଶ୍ବରେ ଏହାକୁ ନିନ୍ଦା କରାଯାଇଛି ।
ଚୀନର ୱହାନ ସହରରୁ ଉତ୍ପତ୍ତି ହୋଇଥିଲା କରୋନା ଭାଇରସ । ସାରା ବିଶ୍ବକୁ କବଳିତ କରିଥିଲା ଏହି ଅଦୃଶ୍ୟ ମହାମାରୀ । ଏବେ ପୁଣି ସେହି ଚୀନକୁ ଗ୍ରାସିଛି କୋଭିଡ୍ । ଆଜି ଚୀନରେ ୪୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୌଣସି ଘାତକ ଲହରୀ ବେଳେ ବି ଚୀନରେ ଏମିତି ମାଡ଼ି ନ ଥିଲା ଭାଇରସ । ମହାମାରୀ ବ୍ୟାପୁଥିବାରୁ ପୁଣି କରାଯାଇଛି ଲକଡାଉନ୍ ହେଲେ ଲୋକେ ଆଉ ସାରା ଜୀବନ ପାଇଁ ବନ୍ଦୀ ଜୀବନ ବିତାଇବାକୁ ପ୍ରସ୍ତୁତ ନୁହନ୍ତି ।