ଅର୍ଗସ ବ୍ୟୁରୋ: କ୍ରିକେଟ୍ ଦୁନିଆରେ ରାଓଲଫିଣ୍ଡି ଏକ୍ସପ୍ରେସ୍ ବୋଲାଉଥିବା ସୋଏବ୍ ଅଖ୍ତାରଙ୍କ ରେକର୍ଡ ଭାଙ୍ଗିଲେ 17 ବର୍ଷୀୟ ସିଂହଳୀ ଫାଷ୍ଟ ବୋଲର ମଥିସା ପଥିରାନା । କ୍ରିକେଟର ସବୁଠୁ ତେଜ୍ ବଲ ଫିଙ୍ଗିବା ରେକର୍ଡ ପାକିସ୍ତାନୀ ବୋଲର ସୋଏବ୍ ଅଖ୍ତାରଙ୍କ ନାଁରେ ଥିଲା । 2003 ବିଶ୍ୱକପ୍ରେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ମ୍ୟାଚ୍ରେ 161.3 କିଲୋମିଟର ପ୍ରତି ଘଣ୍ଟା ବେଗରେ ବଲ ଫିଙ୍ଗି ବିଶ୍ୱ ରେକର୍ଡ କରିଥିଲେ ସୋଏବ ଅଖ୍ତାର । ସୋଏବଙ୍କ ଏହି ବଲ୍ ବିଶ୍ୱର ସବୁଠାରୁ ତେଜ୍ ବଲ ଥିଲା ।
ତେବେ ତାଙ୍କର ଏହି ରେକର୍ଡକୁ ଭାଙ୍ଗିଛନ୍ତି 17 ବର୍ଷୀୟ ଶ୍ରୀଲଙ୍କା ବୋଲର । 19 ବର୍ଷରୁ କମ୍ 2020 ବିଶ୍ୱକପ୍ରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ଶ୍ରୀଲଙ୍କା ବୋଲର ମଥିସା ପଥିରାନା ସୋଏବଙ୍କ ରେକର୍ଡ ଭାଙ୍ଗିଥିଲେ । ମ୍ୟାଚ୍ର ଚତୃର୍ଥ ଓଭର୍ର ଶେଷ ବଲ୍ଟି ସେ 175 କିଲୋମିଟର ପ୍ରତି ଘଣ୍ଟା ବେଗରେ ଫିଙ୍ଗିଥିଲେ । ଏହି ବଲକୁ ସାମ୍ନା କରିଥିଲେ ଭାରତୀୟ ଦଳର ଓପେନିଂ ବ୍ୟାଟ୍ସମ୍ୟାନ୍ ଯସଶ୍ୱୀ ଜୈସ୍ୱାଲ । ବଲ୍ଟି ଲେଗ୍ ଷ୍ଟମ୍ପ୍ ବାହାରେ ଥିବାରୁ ଅମ୍ପାୟାର ଏହାକୁ ଓ୍ୱାଇଡ୍ ବ୍ଲର ଇଶାରା ଦେଇଥିଲେ । ଏହି ମ୍ୟାଚ୍ରେ ପଥିରାନା 8 ଓଭରରେ 49 ରନ୍ ଦେଇଥିଲେ । ମାଲିଙ୍ଗାଙ୍କ ପରି ଅବିକଳ ଆକ୍ସନ୍ରେ ବୋଲିଂ କରୁଥିବାରୁ ଅନେକ ତାଙ୍କୁ ଜୁନିଅର ମାଲିଙ୍ଗା ବୋଲି କହୁଛନ୍ତି । ତେବେ ପଥିରନା ଫିଙ୍ଗିଥିବା ବଲ୍ ବିଷୟରେ ଏପର୍ଯ୍ୟନ୍ତ ଆଇସିସି ପକ୍ଷରୁ କୌଣସି ଅଧିକାରୀ ବୟାନ ଦେଇନାହାନ୍ତି । ସୋସିଆଲ ମିଡ଼ିଆରେ ସ୍ପିଡୋ ମିଟର୍ ଭୁଲ ଥିବା ମଧ୍ୟ କେତେ ଜଣ କହୁଛନ୍ତି । ଡୋମେଷ୍ଟିକ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରୁଥିବା ପଥିରାନା ଆଗାମୀ ଶ୍ରୀଲଙ୍କା ଦଳର ଭବିଷ୍ୟତ ବୋଲି କହିଲେ ଆତ୍ୟୁକ୍ତି ହେବନାହିଁ ।
