ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଜୀବନରେ ବିକାଶ କରିବ । ଭାରତ ବର୍ତ୍ତମାନ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଏଭଳି ଅଭିବୃଦ୍ଧି ପୂର୍ବରୁ କେବେ ଦେଖାଯାଇ ନଥିଲା । ନିକଟରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ନିଜକୁ ପରିଣତ କରିଛି । ଆଗାମୀ ଦଶନ୍ଧି ମଧ୍ୟରେ ଭାରତ ତୃତୀୟ ବୃହତମ ଅର୍ଥନୀତି ଭାବରେ ପରିଣତ ହେବ । ଭାରତ ଷ୍ଟ୍ରାଟଅପର ଏକ ଗନ୍ତାଘର । ଭାରତରେ ନୂଆ ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କରାଯାଇ ଅନେକ ସମସ୍ୟାର ସମାଧାନ କରାଯାଇପାରୁଛି ବୋଲି ମାନନୀୟ ଉପରାଷ୍ଟ୍ରପତି କହିଛନ୍ତି ।
ସେହିପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭାରତର ପ୍ରତ୍ୟେକ ଉଦ୍ଭାବନ ଓ ନବସୃଜନ ସମଗ୍ର ବିଶ୍ୱକୁ ଲାଭପ୍ରଦାନ କରୁଛି ଓ ବର୍ତ୍ତମାନ ସମୟରେ ନବସୃଜନକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି I ସେ କହିଛନ୍ତି ଯେ କୋଭିଡ୍ ଭଳି କଠିନ ସମୟରେ ଭାରତ ଦ୍ୱାରା ପ୍ରସ୍ତୁତ କୋଓ୍ୱିନ୍ ଆପ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି I ଏଥିରେ ଟୀକାକରଣ ପ୍ରକ୍ରିୟା ପଞ୍ଜିକରଣରୁ ଆରମ୍ଭ କରି ସାର୍ଟିଫିକେଟ ମିଳିବା ପର୍ଯ୍ୟନ୍ତ ସବୁ ବିଷୟ ସହଜରେ ଅନୁଧ୍ୟାନ କରାଯାଉଥିଲା I ଭାରତର ପ୍ରତ୍ୟେକ ଉଦ୍ଭାବନ ଓ ନବସୃଜନ ସମଗ୍ର ବିଶ୍ୱ ବିଶେଷ ଭାବରେ ଉଭା ହେଉଥିବା ଅର୍ଥନୀତିକୁ ଲାଭପ୍ରଦାନ କରୁଛି I ୟୁନେସ୍କୋ - ଇଣ୍ଡିଆ - ଆଫ୍ରିକା ହକାଥନ ସହଯୋଗୀ ରାଷ୍ଟ୍ର ଗୁଡିକ ଦ୍ୱାରା ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମଧାନ ଖୋଜିବାର ଏକ ବୃହତ ପ୍ଲାଟଫର୍ମ I ଏହା ସହ ବିଶ୍ୱରେ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ୍ୟ ରଖୁଥିବା ଷ୍ଟାର୍ଟଅପକୁ ମୂଳଦୁଆ ପ୍ରଦାନ କରିବା ଆମର ଲକ୍ଷ୍ୟ ରହିଛି I
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଅନୁସନ୍ଧାନର ଆହ୍ୱାନ ଦେଇଛନ୍ତି, ଯାହା ଆମ ଗବେଷଣା ଏବଂ ନବସୃଜନରେ ନିଆଯାଉଥିବା ପ୍ରୟାସକୁ ପ୍ରୋତ୍ସାହିତ କରୁଛି I ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବା ପାଇଁ ଜାତୀୟ ଶିକ୍ଷା ନୀତି 2020 ଗବେଷଣା ଓ ନବସୃଜନକୁ ନୂଆ ଦିଗଦର୍ଶନ ପ୍ରଦାନ କରିଛି I ଭାରତ ସମସ୍ତଙ୍କୁ ସାଥିରେ ନେବାରେ ବିଶ୍ୱାସ କରେ ଏବଂ ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ଏକ ପଥ ପ୍ରଦର୍ଶକ I ୟୁନେସ୍କୋ - ଇଣ୍ଡିଆ - ଆଫ୍ରିକା ହକାଥନ କାର୍ଯ୍ୟକ୍ରମ ସାଂସ୍କୃତିକ ସମ୍ପର୍କକୁ ସମୃଦ୍ଧ କରିବା, ନେତୃତ୍ୱ ତିଆରି କରିବା, ସୃଜନଶୀଳ ଚିନ୍ତାଧାରା, ଉଦ୍ୟମିତା ଓ ଉଭୟ ଦେଶ ମଧ୍ୟରେ ବନ୍ଧୁତାକୁ ସୁଦୃଢ କରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି I
ଏହି ହକାଥନର ବିଜେତାଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଆଫ୍ରିକା ଦେଶର ଛାତ୍ରଛାତ୍ରୀଙ୍କୁ ଭାରତରେ ପାଠ ପଢିବା ପାଇଁ ନିମନ୍ତ୍ରଣ କରିଥିଲେ I ଭାରତ ଏବଂ ଆଫ୍ରିକାରେ ଥିବା ପ୍ରତିଭାକୁ ଏକାଠୀ କରି ଉଭୟ ଦେଶର ଉତ୍ତମ ଭବିଷ୍ୟତ ପାଇଁ ଅଗ୍ରସର ହେବା ଏହି ହକାଥନର ଲକ୍ଷ୍ୟ I ଏହି 36 ଘଣ୍ଟିଆ ହକାଥନରେ ଭାରତ ସମେତ 22 ଆଫ୍ରିକୀୟ ଦେଶର 581 ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ସାମାଜିକ, ପ୍ରଯୁକ୍ତିବିଦ୍ୟା ଓ ପରିବେଶ ସମ୍ବନ୍ଧୀୟ ସମସ୍ୟାର ସମାଧାନର ରାସ୍ତା କରିଥିଲେ I