ପାକିସ୍ତାନୀ ଗଣମାଧ୍ୟମ ଦି ନ୍ୟୁଜ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନର ବସ୍ତ୍ର ରପ୍ତାନୀ 14.8 ପ୍ରତିଶତ ହ୍ରାସ ପାଇଛି । ନ୍ୟାସନାଲ ଟ୍ରେଡ ୟୁନିୟନ ଫେଡେରସନ ପାକିସ୍ତାନର ମହାସଚିବ ନାସିର ମନସୁର ଆଶଙ୍କା ପ୍ରକାଶ କରିଛନ୍ତି ଯେ ଆଗାମୀ କିଛି ମାସ ଭିତରେ ପାକିସ୍ତାନର ପାଖାପାଖି 10 ଲକ୍ଷ ଅସଙ୍ଗଠିତ ଶ୍ରମିକ ସେମାନଙ୍କର ରୋଜଗାର ହରାଇବେ । ଏମାନଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ବସ୍ତ୍ର ଉଦ୍ୟୋଗ ସହ ଜଡିତ ।
2021 ମସିହା ଜାନୁଆରୀରେ ପାକିସ୍ତାନର ରପ୍ତାନୀ 1.5 ବିଲିୟନ ଆମେରିକୀୟ ଡଲାର ରହିଥିବା ବେଳେ 2023 ମସିହା ଜାନୁଆରୀ ବେଳକୁ ଏହା 1.3 ବିଲିୟନ ଆମେରିକୀୟ ଡଲାର ହୋଇଛି । ଏହି ମାସ ହୋଇଥିବା ରପ୍ତାନୀ 2021 ତୁଳନାରେ 2.5 ପ୍ରତିଶତ ହ୍ରାସ ପାଇଛି । ଏ ସମ୍ପର୍କରେ ମନସୁର କହିଛନ୍ତି ଯେ 2022 ମସିହାରେ ପାକିସ୍ତାନରେ ଆସିଥିବା ଭୟଙ୍କର ବନ୍ୟା କାରଣରୁ କପା ଚାଷକୁ ଭାରୀ କ୍ଷତି ହୋଇଥିଲା । ପାଖାପାଖି 45 ପ୍ରତିଶତ ଫସଲ ବନ୍ୟାରେ ଭାସି ଯାଇଥିଲା । ତେଣୁ କଂଚାମାଲରେ ଅଭାବ ଦେଖା ଦେଇଛି ।
ସେହିପରି ଏଲସି ବା ଋଣ ପତ୍ର ଖୋଲିବାରେ ମଧ୍ୟ ବିଳମ୍ବ କାରଣରୁ ବସ୍ତ୍ର ତିଆରି କରୁଥିବା ୟୁନିଟ ଗୁଡିକ ବିଦେଶରୁ କଂଚା ମାଲ ଆମଦାନୀ କରି ପାରି ନ ଥିଲେ । ଏ ସମ୍ପର୍କରେ ପାକିସ୍ତାନର ଶିଳ୍ପ ସଂସ୍ଥା ମାନେ ପାକିସ୍ତାନ ସରକାରକୁ ବାରମ୍ବାର ଅନୁରୋଧ କରିଥିଲେ ଓ କହିଥିଲେ ଏଲସି ଖୋଲିବାରେ ବିଳମ୍ବ କରା ନ ଯାଉ । ଏଥି ପାଇଁ ସେମାନେ ସରକାରଙ୍କୁ ଦାୟୀ କରିଥିଲେ ।
କେବଳ କପଡା ଉଦ୍ୟୋଗ ନୁହେଁ ବାହନ ଉଦ୍ୟୋଗରୁ ମଧ୍ୟ କର୍ମଚାରୀ ମାନେ ପାକିସ୍ତାନରେ ଛଟେଇ ହେବେ । ପାକିସ୍ତାନର ଯାନ ବାହନ ଅଂଶ ନିର୍ମାଣକାରୀ କମ୍ପାନୀ ମାନଙ୍କର ଆସୋସିଏସନ ପକ୍ଷରୁ କୁହା ଯାଇଛି ଯେ ପାକିସ୍ତାନରେ ଅଟୋ ସେକ୍ଚରରେ ବିକ୍ରି ବହୁଳ ମାତ୍ରାରେ ହ୍ରାସ ପାଇଛି । ଏହି କାରଣରୁ ଏହି କ୍ଷେତ୍ରରେ ମଧ୍ୟ 25ରୁ 30 ହଜାର ଶ୍ରମିକ ଛଟେଇ ହେବାର ଆଶଙ୍କା ରହିଛି । ଆର୍ଥିକ ବିଶେଷଜ୍ଞ ମାନଙ୍କର କହିବା କଥା ଯେ ଯେଉଁ କ୍ଷେତ୍ର ଆମଦାନୀ ଉପରେ ନିର୍ଭରଶୀଳ ସେହି କ୍ଷେତ୍ର ଗୁଡିକ ପାକିସ୍ତାନରେ ଆଗାମୀ ଦିନରେ ସର୍ବାଧିକ ପ୍ରଭାବିତ ହେବେ ।