ଜାଣି ଆଶ୍ଚର୍ଯ୍ୟ ହେବେ ଚାଇନାର ଗ୍ରାମାଞ୍ଚଳରେ ରହୁଥିବା ଜଣେ ଲୋକ ଗୋଟାଏ କୁକୁର ପାଳିଥିଲେ। ହେଲେ ୨ ବର୍ଷ ପରେ ଦେଖିଲା ବେଳକୁ କୁକୁର ଭାଲୁ ପାଲଟିଗଲା। ଆପଣ ଭାବୁଥିବେ କି ଅଜବ କଥା ଆମେ କହୁଛୁ। ବାସ୍ତବରେ ଏହି ଘଟଣାଟିକୁ ଖବର ସରବରାହ ସଂସ୍ଥା ‘Newyork Post’ ଭିଡିଓ ସହ ପ୍ରକାଶ କରିଛି। ଯାହାକୁ ଦେଖି ଆମକୁ ଲାଗୁଛି, ସେ ଦେଶରେ ପଶୁଜନ୍ତୁ ବି ଚାଇନା ମାଲ ଭଳି ବିଲକୁଲ୍ ନକଲି।
ଏବେ ସିଧା ଘଟଣାକୁ ଆସିବା। ଚାଇନାର ୟୁନାନ ପ୍ରଦେଶ କୁନମିଙ୍ଗ ସହରରେ ରହୁଥିବା ସୁ ୟୁନ ୨୦୧୬ରେ ଏକ କୁକୁର କିଣିଥିଲେ। ପ୍ରଜାତି ଥିଲା, Tibetan mastiff । ଏହି ପ୍ରଜାତିର କୁକୁରଗୁଡିକ ଦେଖିବାକୁ ଦୀର୍ଘ, ବିଶାଳ ଓ କଳା ରଙ୍ଗର ରୁମୁରୁମିଆ ଚମଡା ଆବୃତ୍ତ। ଏହି ପ୍ରଜାତିର ଅଣ୍ଡିରା କୁକୁର ସର୍ବାଧିକ ୧୫୦ ପାଉଣ୍ଡ ଓଜନର ହୋଇଥାଏ।
ଏ ସବୁ ଜାଣିଥିବା ସୁ କୁକୁର କିଣିଥିଲେ। କିନ୍ତୁ ନିକଟ ଅତୀତରେ ତାଙ୍କ କୁକୁରର ଚରିତ୍ର ବଦଳି ଯାଇଥିଲା। ସେ ଏତେ ଭୋକିଲା ହୋଇପଡୁଥିଲା ଯେ, ସମସ୍ତଙ୍କୁ ଚକିତ କରୁଥିଲା। ପ୍ରତିଦିନ ଗୋଟିଏ ବାକ୍ସ ଭର୍ତ୍ତି ଫଳ ଓ ୨ ବାଲଟି ନୁଡୁଲ୍ସ ଖାଉଥିଲା ସେହି କୁକୁର। ମାତ୍ର ୨ ବର୍ଷ ଭିତରେ ତାର ଓଜନ ହୋଇଥିଲା ୨୫୦ ପାଉଣ୍ଡ। ଏପରିକି କ୍ରମାଗତ ଭାବେ ତାର ଓଜନ ବଢୁଥିବାରୁ ସନ୍ଦେହ ହେବା ପରେ ସେ ଏହା ଗୋଟିଏ ଭାଲୁ ବୋଲି ଜାଣିବାକୁ ପାଇଥିଲେ।
ସୁ ଚାଇନାର ଗଣମାଧ୍ୟମକୁ ଏ ନେଇ ସୂଚନା ଦେବାପରେ ପୁଲିସ କାନକୁ ଖବର ଗଲା । ଆଉ ଜଣାପଡିଲା, ସୁ’ଙ୍କ ଏହି “କୁକୁର” ଏକ ବିରଳ ଏବଂ ଏସିଆଟିକ୍ କଳା ଭାଲୁ। ଘଟଣାଟି ୨୦୧୮ରେ ସାମ୍ନାକୁ ଆସିଥିଲା। ଯାହା ଏବେ ପୁଣି ଥରେ ଭାଇରାଲ ହେଉଛି। ସୁ’ଙ୍କ ଏହି ଭାଲୁକୁ ୟୁନାନ ୱାଇଲ୍ଡ ଲାଇଫ ରେସକ୍ୟୁ ତରଫରୁ ପ୍ରକୃତିକ ଆବାସରେ ଛଡାଯାଇଛି।