ଭୂ-କମ୍ପର ୨୧ ଦିନ ପରେ ତୁର୍କୀରେ ଭଗ୍ନାବଶେଷ ମଧ୍ୟରୁ ଏକ ଘୋଡ଼ା ଉଦ୍ଧାର କରାଯାଇଛି। ଘୋଡ଼ାଟି ସୁସ୍ଥ ଥିବା ଜଣାପଡ଼ିଛି। ତୁର୍କୀର ବ୍ୟବସାୟୀ ତନସୁ ୟେଗେନ ଘୋଡ଼ାକୁ ଉଦ୍ଧାର କରାଯାଉଥିବାବେଳର ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଚମତ୍କାର! ଉଦ୍ଧାରକାରୀ ଟିମ ୨୧ ଦିନ ପରେ ଧ୍ବଂସାବଶେଷ ମଧ୍ୟରୁ ଏକ ଘୋଡ଼ାକୁ ଜୀବନ୍ତ ବାହାର କରିଛନ୍ତି। ଏହି ଭିଡିଓକୁ ୩୪ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।
ଉଲ୍ଲେଖଯୋଗ୍ୟ, ଫେବୃୟାରୀ ୬ରେ ଭୋର ୪ଟା ୧୭ରେ ତୁର୍କୀ ଓ ସିରିୟାରେ ୩ଟି ବଡ଼ ଭୂ-କମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ପ୍ରଥମ ଭୂ-କମ୍ପର ତୀବ୍ରତା ୭.୮ ରହିଥିଲାବେଳେ ଦ୍ବିତୀୟର ୭.୬ ଓ ତୃତୀୟଟି ୬.୦ ରହିଥିଲା। ଏହାର କେନ୍ଦ୍ରସ୍ଥଳ ର୍ତୁକୀର ଗାଜିଆଣ୍ଟେପ ସହର ରହିଥିଲା। ସିରିୟା ସୀମା ଠାରୁ ଏହା ୯୦କିଲୋମିଟର ଦୂରରେ ଅବସ୍ଥିତ। ତୁର୍କୀରେ ଏପର୍ଯ୍ୟନ୍ତ ଭଗ୍ନାବଶେଷ ମଧ୍ୟରୁ ୪୪, ୩୭୪ ଶବ ବାହାର କରାଯାଇଥିବାବେଳେ ସିରିୟାରେ ଏହି ସଂଖ୍ୟା ୫,୯୫୧ ରହିଛି।