୨୦୯ ରନର ବିଶାଳ ବିଜୟ ଲକ୍ଷ୍ୟ କରିଥିବା ଅଷ୍ଟ୍ରେଲିଆ ଆରମ୍ଭର ବିସ୍ଫୋରକ ବ୍ୟାଟିଂ କରିଥିଲା । ୩.୩ ଓଭରରେ ଦୁଇ ଓପନର ଫିଞ୍ଚ ଏବଂ ଗ୍ରୀନ ୩୯ ରନ ଯୋଡିଥିଲେ । ଏହା ପରେ ଗ୍ରୀନ ଏବଂ ଷ୍ଟିଭ୍ ସ୍ମିଥ୍ ଦଳର ଇନିଂସକୁ ଆଗେଇ ନେଇଥିଲେ । ବିଶେଷ କରି ଗ୍ରୀନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ରେ ୭୦ ରନ ଯୋଡି ଦଳ ବିଜୟର ମୂଳଦୁଆ ପକାଇଥିଲେ । ଅକ୍ଷର ପଟେଲ୍ ଗ୍ରୀନଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗିଥିଲେ । ଗ୍ରୀନ ମାତ୍ର ୩୦ ବଲ୍ରୁ ୮ ଚୌକା ଏବଂ ୪ ଛକା ସହ ୬୧ ରନ କରିଥିଲେ । ସ୍ମିଥ୍ ୩୫ ରନ କରି ଆଉଟ୍ ହୋଇଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଭାରତୀୟ ହାତରୁ ବିଜୟ ଛଡାଇ ଆଣିଥିଲେ । ବିଶେଷ କରି ଓ୍ଵାଦେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୧ ବଲ୍ରୁ ୬ ଚୌକା ଏବଂ ୨ ଛକା ବଳରେ ୪୫ ରନର ଅପରାଜିତ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ଜିତାଇଛନ୍ତି । ପାଟ୍ କମିନ୍ସ ବିଜୟ ସୂଚକା ଚୌକା ମାରିଛନ୍ତି। ଦଳ ୧୯.୨ ଓଭରରେ ୬ ଓ୍ଵିକେଟ୍ ହରାଇ ୨୧୧ ରନ କରି ୪ ଓ୍ଵିକେଟ୍ରେ ବିଜୟ ହାସଲ କରିଛି ।
ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ୫୨ ରନ ଦେଇ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ହର୍ଷଲ ପଟେଲ୍ ମଧ୍ୟ ୪୯ ରନ ବ୍ୟୟ କରିଛନ୍ତି। ଅକ୍ଷର ପଟେଲ୍ ୧୭ ରନରେ ୩ ଓ୍ଵିକେଟ୍ ନେବାରେ ସଫଳ ହୋଇଥିଲେ। ଉମେଶ ଯାଦବ ୨ ଓଭରରେ ୨୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।