ଉପସାଗରୀୟ ରାଷ୍ଟ୍ର ମଧ୍ୟରେ ପ୍ରମୁଖ ପ୍ରଭାବଶାଳୀ ରାଷ୍ଟ୍ର କୁହାଯାଉଥିବା ୟୂଏଇ ଏବଂ ସାଉଦି ଆରବର ରାଷ୍ଟ୍ରମୁଖ୍ୟଙ୍କ ସହ ମୋଦିଙ୍କ ବ୍ୟକ୍ତିଗତ ବନ୍ଧୁତା ଏବଂ ଭାରତଗସ୍ତ ସମୟରେ ସେମାନଙ୍କୁ ପ୍ରଦାନ କରା ଯାଇଥିବା ଆତିଥ୍ୟ ଦୁଇ ପକ୍ଷ ମଧ୍ୟରେ ବିଶ୍ୱାସ ଏବଂ ସମ୍ମାନକୁ ବଢ଼ାଇବାରେ ସହାୟକ ହୋଇଛି । ଐତିହାସିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଭାରତ ଏବଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କ ବେଶି ମହତ୍ୱପୂର୍ଣ୍ଣ । ଏହା ବ୍ୟତୀତ ଭାରତର ୮.୫ ନିୟୂତୁ ଅଧିକ ନାଗରୀକ ବିଭିନ୍ନ ଉପସାଗରୀୟ ରାଷ୍ଟ୍ରରେ କାର୍ଯ୍ୟରତ ଥାଇ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି ।
ତେବେ ବିଗତ ୬ ବର୍ଷ ମଧ୍ୟରେ ବିଶେଷ ଫଳପ୍ରଦ ହୋଇପାରିଛି ମୋଦିଙ୍କ ଦ୍ୱାରା ଗ୍ରହଣ କରା ଯାଇଥିବା ‘ଲୁକ୍ ୱେଷ୍ଟ୍’ ବା ପାଶ୍ଚାତ୍ୟ ଅବଲୋକନ ନୀତି । ନୂଆଦିଲ୍ଲୀ ଏବଂ ରିଆଦ୍ ମଧ୍ୟରେ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ କାଉନସିଲ ଗଠନ କରାଯାଇଛି ଯାହା ଭାରତର ପ୍ରଧାନମନ୍ତ୍ରୀ ଏବଂ ସାଉଦି ଯୁବରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ । ସେହିପରି ୟୂଏଇ ସହିତ ଥିବା ରଣନୈତିକ ସମ୍ପର୍କ ଉଚ୍ଚ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଦ୍ୱାରା ପରିଚଳିତ ହେଉଛି । ଏହା ଦ୍ୱାରା ସୁଦୃଢ଼ ବାଣିଜ୍ୟ ସମ୍ପର୍କ ରକ୍ଷା ସହିତ ବିଭିନ୍ନ ସାମଗ୍ରୀ ଏବଂ ଜନ ସମୁଦାୟର ହିତକୁ ଦିଆ ଯାଇଛି ଗୁରୁତ୍ୱ । ସେହି ଦ୍ୱିପାକ୍ଷିକ ସମ୍ପର୍କରେ ଆଉ କେତେକ ଉଲ୍ଲେଖନୀୟ ଦିଗ ହେଲା-
- ୟୂଏଇ ଏବଂ ସାଉଦି ଆରବ ଯଥାକ୍ରମେ ଭାରତର ୩ୟ ଏବଂ ୪ର୍ଥ ବାଣିଜ୍ୟିକ ଅଂଶିଦାର
- ଏହି ଦୁଇ ଦେଶ ଭାରତର ବିଭିନ୍ନ କ୍ଷେତ୍ରରେ ବିପୁଳ ପୁଂଜିନିବେଶ କରିଛନ୍ତି ଏବ ଆଗକୁ କରିବା ପାଇଁ ଘୋଷଣା କରିଛନ୍ତି
- ଉପସାଗରୀୟ ରାଷ୍ଟ୍ରରେ କାର୍ଯ୍ୟରତ ଭାରତୀୟମାନେ ଦେଶକୁ ବାର୍ଷିକ ୫୦ ବିଲିୟନ୍ ଡଲାର୍ ଅର୍ଥ ପଠାଇଥାନ୍ତି
- ୟୂଏଇରେ ଭରତୀୟଙ୍କ ପାଇଁ ଏକ ହିନ୍ଦୁମନ୍ଦିର ନିର୍ମାଣ କରିବାକୁ ଅନୁମତି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା
- ୨୦୧୯-୨୦ ବର୍ଷରେ ଭାରତ ଉପସାଗରୀୟ ରାଷ୍ଟ୍ରଙ୍କ ସହ ୬୨ ବିଲିୟନ ଡଲାର୍ ମୂଲ୍ୟର ହାଇଡ୍ରୋକାର୍ବନ କାରବାର କରିଥିଲା
- ଭାରତୀୟ ତୈଳ କମ୍ପାନୀଙ୍କୁ ଆବୁଧାବୀରେ କାରବାର କରିବାର ସୂଯୋଗ
- ଭାରତର ପରବର୍ତୀ ପର୍ଯ୍ୟାୟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ କାର୍ଯ୍ୟରେ ସାଉଦି ଆରବ ଏବଂ ୟୂଏଇ ଅଂଶୀଦାର ହେବାର ସମ୍ଭାବନା
- ବିଭିନ୍ନ ସମୟରେ ମୋଦିଙ୍କ ୟୂଏଇ, ବାହାରିନ୍ ଏବଂ ସାଉଦି ଗସ୍ତ ସମୟରେ ତାଙ୍କୁ ସେଠାରେ ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ
- କାତାର, ଇରାନ୍, ଓମାନ୍ ଇତ୍ୟାଦି ରାଷ୍ଟ୍ରକୁ ମୋଦିଙ୍କ ଗସ୍ତ ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହୋଇଛି
- ଉପସାଗରୀୟ ରାଷ୍ଟ୍ରର ମୁଖ୍ୟମାନେ ମଧ୍ୟ ଭାରତ ଗସ୍ତ କରି ସମ୍ପର୍କକୁ ଆହୁରି ମଜବୁତ୍ କରିଛନ୍ତି
- ସେପ୍ଟେମ୍ବରରେ କୁଏତର ଅମିରଙ୍କ ମୃତ୍ୟୁରେ ଭାରତ ଶୋକ ପାଳନ କରିଥିଲା ଯାହାକୁ ପ୍ରଶଂସା କରିଥିଲେ କୁଏତ୍ବାସୀ
- କୋଭିଡ୍ ମହାମାରୀ ସମୟରେ ଭାରତ ଉପସରାଗରୀୟ ରାଷ୍ଟ୍ରଙ୍କୁ ଆବଶ୍ୟକୀୟ ଚିକିତ୍ସା ସହଯୋଗ ଯୋଗାଇ ଆସୁଛି
- ମହାମାରୀ ସମୟରେ ୟୂଏଇ ଭାରତକୁ ଅଧିକ ଏଲ୍ପିଜି ଯୋଗାଇଛି ଯାହା ଦେଶର ଗରୀବ ଲୋକଙ୍କୁ ସହାୟକ ହୋଇଛି
- ଭାରତୀୟମାନଙ୍କୁ ମହାମାରୀ ସମୟରେ ଦେଶକୁ ଫେରିବାରେ ସହଯୋଗ କରିଛନ୍ତି ସମସ୍ତ ଉପସାଗରୀୟ ରାଷ୍ଟ୍ର
ମୋଦି ସରକାରଙ୍କ ବୈଦେଶିକ ନୀତି ଯୋଉଁ ଭାରତ ଏବଂ ଉପସାଗରୀୟ ରାଷ୍ଟ୍ରଙ୍କ ମଧ୍ୟରେ ବୃଦ୍ଧି ପାଇଥିବା ସମ୍ପର୍କ ଆଗକୁ ଭାରତ ପାଇଁ ଆହୁରି ଲାଭଦାୟକ ହେବ ବୋଲି କୁହାଯାଇପାରେ ।