ପ୍ରାକୃତିକ ସମ୍ବଳର ମାତ୍ରାଧିକ ବ୍ୟବହାର, କଳକାରଖାନା, ଗାଡିମୋଟର, କୃଷିକ୍ଷେତ୍ରରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଦ୍ଵାରା ପରିବେଶ ପ୍ରଦୂଷିତ ହେବା ସହିତ ଜଙ୍ଗଲ ସମ୍ପଦର କ୍ଷୟ ଘଟୁଥିବା ଦେଖିବାକୁ ମିଳୁଛି । ଯେଉଁଥିପାଇଁ ବର୍ତ୍ତମାନ ସ୍ଥିତିରେ ପୃଥିବୀପୃଷ୍ଠରୁ ବହୁ ଜୀବଜନ୍ତୁ ଓ ଉଦ୍ଭିଦ ଲୋପ ପାଇସାରିଥବା ବେଳେ ଆଉ କିଛି ବିଲୁପ୍ତ ପ୍ରାୟ ଅବସ୍ଥାରେ । ସେହିପରି ଜୈବ ବିବିଧତାରେ ସନ୍ତୁଳନ ନଷ୍ଟ ହେଉଥିବା ବେଳେ ତାପମାତ୍ରା ବୃଦ୍ଧି, ଅଦିନିଆ ବୃଷ୍ଟିପାତ, ଭୀଷଣ ବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଜୀବଜଗତ ପାଇଁ ଆହ୍ବାନ ସୃଷ୍ଟି କରିଛି । ଯାହାକୁ ନେଇ ପରିବେଶବିଦ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି ।
ସେପଟେ ଯଦି ଆମେ ଦେଖିବା ଜୈବ ବିବିଧତାର ରକ୍ଷା ତଥା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାରେ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ହେନ୍ତାଳବଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ଅବବାହିକାରେ ଥିବା ଏହା ହେଉଛି ଦ୍ୱିତୀୟ ବୃହତ୍ତମ ଲୁଣାଜଙ୍ଗଲ ଯାହା ଜୈବ ବିବିଧତା ସନ୍ତୁଳନରେ ସହାୟକ ହେଉଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ ଉପକୂଳବାସୀଙ୍କୁ ରକ୍ଷା କରି ଆସୁଛି । ବିଶ୍ଵରେ ଦେଖାଯାଉଥିବା ୯୨ପ୍ରଜାତିର ହେନ୍ତାଳ ବୃକ୍ଷ ମଧ୍ୟରୁ ଏଠାରେ ୬୨ ପ୍ରଜାତିର ହେନ୍ତାଳ ବୃକ୍ଷ ଦେଖିବାକୁ ମିଳିଥାଏ । ଯାହା ଜୈବ ବିବିଧତାର ସଂରକ୍ଷଣକାରୀ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ତେବେ ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ତଥା ଜଙ୍ଗଲକ୍ଷୟ କାରଣରୁ ଏଥିରେ ଅସନ୍ତୁଳନ ଦେଖିବାକୁ ମିଳିଛି । ଯାହା ଆଗାମୀ ଦିନରେ ମଣିଷ ସମାଜ ସହିତ ସାରା ଜୀବଜଗତ ବିପଦ ମୁହଁକୁ ଠେଲି ହୋଇଯିବାର ଆଶଙ୍କା ଦେଖାଦେଇଛି ।
ଜୈବ ବିବିଧତା ବିଗିଡି ଯିବା ଆଗରୁ ମଣିଷ ସମାଜ ଏହାକୁ ସଜାଡିବାର ଦାୟିତ୍ୱ ନିଭାଇବା ଉଚିତ । କେବଳ ଯେ ପୃଥିବୀରେ ମଣିଷ ମାନଙ୍କ ବସବାସ କରିବାର ଅଧିକାର ରହିଛି ତାହା ନୁହେଁ କୀଟ, ପତଙ୍ଗ, ସରୀସୃପ, ଜନ୍ତୁ ସମସ୍ତଙ୍କର ଜୀବଜଗତରେ ରହିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ପରିବେଶ ତଥା ଜୈବ ବିବିଧତାର ସନ୍ତୁଳନ ସଠିକ ରହିଲେ ପୃଥିବୀ ଆହୁରି ଲକ୍ଷ ଲକ୍ଷ ବର୍ଷ ତିଷ୍ଠି ରହିବ ଏହା ନିସନ୍ଦେହ।