
ସିଓଲ୍: ଯୁକ୍ତରାଷ୍ଟ୍ର ଆମେରିକାର 5ଜଣ ଅଧିକାରୀଙ୍କୁ ଉତ୍ତର କୋରିଆ ହତ୍ୟା କରିଛି । ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ମଧ୍ୟରେ ଦ୍ୱିତୀୟ ଶିଖର ବୈଠକ ବିଫଳ ହେବା କାରଣରୁ ଉତ୍ତର କୋରିଆ ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱତନ୍ତ୍ର କୂଟନୀତିଜ୍ଞଙ୍କୁ ହତ୍ୟା କରିଥିବା ଖବର ସମ୍ୱାଦପତ୍ରରେ ପ୍ରକାଶ ପାଇଛି । ଶୁକ୍ରବାର ଦକ୍ଷିଣ କୋରିଆର ଏକ ସମ୍ବାଦପତ୍ରରେ ଏହି ତଥ୍ୟ ପ୍ରକାଶ କରାଯାଇଛି ।
‘ଚୋସୁନ୍ ଇଲ୍ବୋ’ ନାମକ ଉକ୍ତ ଖବରକାଗଜର ରିପୋର୍ଟ ଅନୁସାରେ, ହାନୋଇ ବୈଠକର କ୍ଷେତ୍ର ପ୍ରସ୍ତୁତ କରିଥିବା ଓ କିମ୍ଙ୍କ ସହ ତାଙ୍କ ବ୍ୟକ୍ତିଗତ ଟ୍ରେନ୍ରେ ଯାତ୍ରା କରିଥିବା କିମ୍ ହାୟୋକ୍ ଚୋଲ୍ଙ୍କୁ ସର୍ବୋଚ୍ଚ ନେତାଙ୍କ ସହ ବିଶ୍ୱାସଘାତକତା କରିଥିବା କାରଣରୁ ଫାୟାରିଙ୍ଗ୍ ସ୍କ୍ୱାଡ୍ ଦ୍ୱାରା ହତ୍ୟା କରାଯାଇଛି । ଅଜ୍ଞାତସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ଖବରକାଗଜରେ ପ୍ରକାଶ ପାଇଛି ଯେ, ତଦନ୍ତ ପରେ ମିରିମ୍ ବିମାନବନ୍ଦରରେ ବୈଦେଶିକ ମନ୍ତ୍ରାଳୟର ଚାରି ଜଣ ବରିଷ୍ଠ ଅଧିକାରୀଙ୍କ ସମେତ କିମ୍ ହାୟୋକ୍ ଚୋଲ୍ଙ୍କୁ ମାର୍ଚ୍ଚ ମାସରେ ହତ୍ୟା କରାଯାଇଛି ।
ତେବେ ଏନେଇ କୌଣସି ଟିପ୍ପଣୀ ଦେବାକୁ ଦକ୍ଷିଣ କୋରିଆର ୟୁନିଫିକେସନ୍ ମିନିଷ୍ଟ୍ରୀ ମନା କରିଦେଇଛି । ଶିଖର ବୈଠକରେ ଭୁଲ୍ କରିଥିବା କାରଣରୁ କିମ୍ ଜୋଙ୍ଗ୍ ଉନ୍ଙ୍କର ଭାଷାନ୍ତରକାରୀ ସିନ୍ ହାଇ ୟୋଙ୍ଗ୍ଙ୍କୁ ମଧ୍ୟ ପ୍ରିଜନ୍ର୍ କ୍ୟାମ୍ପ୍କୁ ପଠାଇ ଦିଆଯାଇଛି । ଟ୍ରମ୍ପ୍ ‘ନୋ ଡିଲ୍’ କହି ଟେବୁଲ୍ ଛାଡ଼ି ଚାଲିଯିବା ପରେ କିମ୍ଙ୍କର ନୂତନ ପ୍ରସ୍ତାବକୁ ଅନୁବାଦ କରିବାକୁ ଅସମର୍ଥ ହୋଇଥିଲେ ବୋଲି ‘ଚୋସୁନ୍’ ଅଜ୍ଞାତ କୂଟନୈତିକ ସୂତ୍ରରୁ ରିପୋର୍ଟ କରିଛି ।
ପାୟୋଙ୍ଗ୍ୟାଙ୍ଗ୍ର ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କାର୍ଯ୍ୟକ୍ରମ ସଂକ୍ରାନ୍ତରେ କୌଣସି ରାଜିନାମାରେ ପହଞ୍ଚି ନ ପାରିବାରୁ କିମ୍ ଜୋଙ୍ଗ୍ ଉନ୍ ଏବଂ ଡୋନାଲ୍ଡ୍ ଟ୍ରମ୍ପ୍ ଭିଏତ୍ନାମ୍ର ରାଜଧାନୀରୁ ଫେରି ଆସିଥିଲେ । ମେ ମାସରେ ଉତ୍ତର କୋରିଆ ଦୁଇଟି ସର୍ଟ-ରେଞ୍ଜ୍ ମିସାଇଲ୍ ପରୀକ୍ଷା କରିଛି।
