ଏବେ ଇରାନରେ ହିଜାବ ବିରୁଦ୍ଧରେ ଶାନ୍ତି ପୂର୍ଣ୍ଣ ଭାବେ ରାସ୍ତାକୁ ଓହ୍ଲାଇ ବିରୋଧ କରୁଥିବା ଲୋକ ମାନଙ୍କର ଆଖିକୁ ଟାର୍ଗେଟ କରାଯାଉଛି । ଏହା ଦ୍ୱାରା ସେମାନଙ୍କର ଆଖି ନଷ୍ଟ ହୋଇଯାଉଛି । ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଏହି ହିଜାବ ବିରୋଧୀ ଆନ୍ଦୋଳନକୁ ଚପାଇବା ପାଇଁ ଇରାନର ଇସଲାମୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ଅନ୍ୟୁନ 5 ଶହ ଲୋକ ସେମାନଙ୍କର ଆଖି ହରାଇ ସାରିଲେଣି ।
ଗତ ଅଢେଇ ମାସ ହେଲାଣି ହିଜାବ ବିରୋଧରେ ଏପରି ଜନ ଆନ୍ଦୋଳନ ଚାଲିଛି । ଏଥିରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅନେକ ଲୋକ ପ୍ରାଣ ହରାଇ ସାରିଲେଣି । ତେବେ ଏତେ ବର୍ବରତାର ସହ ଆନ୍ଦୋଳନକୁ ଚପାଇବାକୁ ପ୍ରୟାସ ସତ୍ତ୍ୱେ ଆନ୍ଦୋଳନ ଥମିବାର ନାମ ନେଉ ନାହିଁ ।
ଅପର ପକ୍ଷରେ ଇରାନ ସରକାର ଏହି ମାମଲାରେ କାହାରିକୁ ହେଲେ ଛାଡୁ ନାହିଁ । ଇରାନର ସୁପ୍ରିମ ଲିଡର ଅୟାତୋଲ୍ଲା ଖୌମେନୀଙ୍କ ଭାଣେଜୀ ଫରିଦେହ ମୋରାଦଖାନୀଙ୍କୁ ମଧ୍ୟ ହିଜାବର ବିରୋଧ କରିଥିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଖୌମେନୀଙ୍କ ଭାଣେଜୀ ଫରିଦେହ ମୋରାଦଖାନୀ ଏକ ଭିଡିଓ ଜାରି କରିଥିଲେ । ଏହି ଭିଡିଓରେ ସେ ହିଜାବ ମାମଲାରେ ଲୋକମାନଙ୍କ ପ୍ରତି ଇରାନ ସରକାର ଯେଭଳି ଭାବେ ବ୍ୟବହାର କରୁଛନ୍ତି ତାକୁ ଦେଖି ଇରାନ ସରକାରଙ୍କୁ ପିଲାମାନଙ୍କର ହତ୍ୟାକାରୀ ବୋଲି କହିଥିଲେ । ସେ ଆୟାତୋଲ୍ଲା ଖୌମେନୀଙ୍କ ତୁଳନା ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲର ଓ ଇଟାଲୀର ମୁସୋଲିନୀ ସହ କରିଥିଲେ ।
ଫରିଦେହ ମୋରାଦଖାନୀ ହେଉଛନ୍ତି ଜଣେ ମାନବିକ ଅଧିକାର କାର୍ଯ୍ୟକର୍ତ୍ତା । ସେ ଭିଡିଓ ଜାରୀ କରି ଅନ୍ୟ ଦେଶର ସରକାରମାନଙ୍କୁ ଅପିଲ କରିଥିଲେ ଯେ ସେମାନେ ଇରାନ ସହ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରି ଦିଅନ୍ତୁ ।
ଏହି ଭିଡିଓକୁ ସେ ଶେୟାର କରିବା ପରେ ପ୍ରଦର୍ଶକାରୀମାନେ ଏହାକୁ ବହୁଳ ଭାବେ ଶେୟାର କରିବାରେ ଲାଗିଥିଲେ । ତେଣୁ ଏଥିରେ ଉତକ୍ଷିପ୍ତ ହୋଇ ଇରାନର ଇସଲାମୀ ସରକାର ତାଙ୍କୁ ଗିରଫ କରି ନେଇଛି । ଫରିଦେହ ମୋରାଦଖାନୀ ଜଣେ ଇଂଜିନିୟର । ତାଙ୍କ ପିତା ଇରାନର ଜଣେ ବଡ ନେତା ଥିଲେ ଓ ସେ ଖୋମେନେଇଙ୍କ ଭଉଣୀକୁ ବିବାହ କରିଥିଲେ । ତାଙ୍କୁ ପୋଲିସ ଏକ ସମନ କରି ଡାକିଥିଲା । ସେ ଏହି ସମନର ସମ୍ମାନ କରି ପହଂଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।