ବିଶ୍ବର ପ୍ରଥମ ସୌର ଚାଳିତ କାରର ବଜାର ପ୍ରବେଶ ଘୋଷଣା କରିଛି ଡଚ କମ୍ପାନୀ 'ଲାଇଟ ଇୟର' । ଆସନ୍ତା ନଭେମ୍ବର ସୁଦ୍ଧା ଏହି ସୌର ଶକ୍ତି ଚାଳିତ କାର ବଜାର ପ୍ରବେଶ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ।
କାରରେ ସାଧାରଣ ସୋଲାର ପ୍ୟାନେଲ ସହ ସ୍ବତନ୍ତ୍ର ଭାବେ ନିର୍ମିତ ବକ୍ର ସୋଲାର ପ୍ୟାନେଲ ମଧ୍ୟ ଖଞ୍ଜିବାର ଯୋଜନା କରିଛି କମ୍ପାନୀ । କାରଟିର ନାମ 'ଲାଇଟ ଇୟର ଜିରୋ' ରହିଛି । ଏହି ଅତ୍ୟାଧୁନିକ କାର ଗୋଟିଏ ଥର ଚାର୍ଜରେ ପ୍ରାୟ ୩୮୮ ମାଇଲ ଚାଲି ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ପୂର୍ବରୁ କମ୍ପାନୀର ଟେସଲାର '3 କାର', ଯାହା ୩୭୪ ମାଇଲ ଯାଉଥିଲା ତାହା ତୁଳନାରେ ଏହି ସୌର ଚାଳିତ କାର୍ ଅଧିକ ବାଟ ଯିବ। 3କାରଠାରୁ ଏହା ଅଧିକ ୧୪ ମାଇଲ ଯାଇପାରିବ ।
କମ୍ପାନୀ ଦ୍ବାରା ଦିଆ ଯାଇଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ଘଣ୍ଟା ଖରାରେ କାରର ବ୍ୟାଟେରୀ ୬ ମାଇଲ ଯାଏଁ ଚାର୍ଜ ହୋଇ ପାରିବ । ଏଥିପାଇଁ କୌଣସି ଚାର୍ଜର ଦରକାର ହେବନି । ମେଘାଛନ୍ନ ସ୍ଥାନରେ ପାଖାପାଖି ୨ ମାସ ପରେ ବ୍ୟାଟେରୀ ଚାର୍ଜର ଆବଶ୍ୟକ ହୋଇପାରେ ।
କମ୍ପାନୀ ସିଇଓ ଓ ସହ-ପ୍ରତିଷ୍ଠାତା ଲେକ୍ସ ହୋଫସ୍କୁଟ୍ କହିଛନ୍ତି, କାରର ବ୍ୟାଟେରୀ ଛୋଟ କରିବାକୁ ଚେଷ୍ଟା କରାଯାଇଛି । ଏରୋଡାଇନାମିକ ଆକାର ଓ ଛୋଟ ବ୍ୟାଟେରୀ କାରକୁ ବେଗ ପ୍ରଦାନ କରିଛି ।