ମୃତାହତ ମାନଙ୍କ ବୟସ ୨୦ ରୁ ୮୬ ମଧ୍ୟରେ । ବଫାଲୋ ପୋଲିସ ୧୩ ଜଣ ଯାକ ମୃତାହତଙ୍କୁ ଚିହ୍ନଟ କରିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ପୂର୍ବତନ ପୋଲିସ ଅଧିକାରୀ, ଯିଏ ନିଜ ଜୀବନକୁ ପାଣି ଛଡାଇ ଏହି ଯୁବ ଆତତାୟୀକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସହରର ପୂର୍ବତନ ଅଗ୍ନିଶମ କମିଶନରଙ୍କ ମାତା ଓ ଜଣେ ଶିକ୍ଷକ ବି ମୃତକଙ୍କ ତାଲିକାରେ ଅଛନ୍ତି ।
ପୋଲିସ ତଦନ୍ତରୁ ଜଣା ପଡିଛି ଯେ ଯୁବକ ଜଣକ କେବଳ କୃଷ୍ଣାଙ୍ଗଙ୍କ ପ୍ରତି ମନରେ ଥିବା ଘୃଣା କାରଣରୁ ଏଭଳି ଅମାନୁଷିକ ଅପରାଧ ଭିଆଇଛି । ଏହି ଯୁବକର ନାମ ପେୟଟନ ଗେଣ୍ଡ୍ରନ । ସେ କଂକଲିନ ଅଞ୍ଚଳର ବାସିନ୍ଦା। ଏହି ହତ୍ୟାକାଣ୍ଡ ଭିଆଇବା ପାଇଁ ସେ ୨୦୦ କିଲୋମିଟର ଯାତ୍ରା କରି ବଫାଲୋରେ ପହଞ୍ଚି ଥିଲା । ତା’ ମନରେ ଭାରି ରହିଥିଲା କୃଷ୍ଣାଙ୍ଗଙ୍କ ପ୍ରତି ଅତ୍ୟଧିକ ଘୃଣା ଭାବ । ଗିରଫ ହେଲା ପରେ ସେ କୃଷ୍ଣକାୟଙ୍କ ବିରୁଦ୍ଧରେ ଅନେକ ହୀନ ମନ୍ତବ୍ୟ ଦେଇଥିଲା ।
ସେ ଏହି ଗୁଳିକାଣ୍ଡ ପାଇଁ ନିଜକୁ ବହୁ ଆଗରୁ ପ୍ରସ୍ତୁତ କରୁଥିଲା । ଅଧ୍ୟୟନ କରୁଥିଲା କୃଷ୍ଣାଙ୍ଗ ମାନଙ୍କ ବିରୁଦ୍ଧରେ ହୋଇଥିବା ପୂର୍ବ ଗୁଳିକାଣ୍ଡ ଗୁଡିକୁ । ଏହି ଯୁବକ ନିଜର ଓ ନିଜଭଳି ଅନ୍ୟ ମାନଙ୍କର ଗୋରା ଚମଡାକୁ ଶ୍ରେଷ୍ଠ ବୋଲି ଭାବୁଥିଲା । ଗୋରା ମାନଙ୍କ ଶ୍ରେଷ୍ଠତ୍ଵ ପ୍ରତିପାଦିତ କରିବା ପାଇଁ ଅନଲାଇନ ଲେଖା ଲେଖୁଥିଲା ।
ଆମେରିକାର ସମାଜକୁ ବର୍ତମାନ ବିଭାଜିତ କରିବାକୁ ଆରମ୍ଭ କରିଛି ହିଂସ୍ର ବର୍ଣ୍ଣ-ବୈଷମ୍ୟ । କିଛି ଗୋରା ଲୋକ ନିଜକୁ ପୃଥିବୀର ଶ୍ରେଷ୍ଠ ଜୀବ ବିଚାରୁଛନ୍ତି । କଳା ଚମଡାଧାରୀଙ୍କୁ ପୋକ ମାଛି ଭାବୁଛନ୍ତି ।
ଆହୁରି ଅଧିକ ବିଦେଶ ଖବର ପଢନ୍ତୁ...