କରାଳ ବନ୍ୟାରେ ପାକିସ୍ତାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ସାରିଥିବା ବେଳେ ସେଠାରେ ଲୋକ ମାନେ ଖାଦ୍ୟ , ପାନୀୟ ଓ ଆଶ୍ରୟ ଭଳି ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ସିନ୍ଧ ରାଜ୍ୟରେ ବନ୍ୟା କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ହିନ୍ଦୀ ଭାଗରୀ ଜାତିର ଲୋକ ମାନଙ୍କୁ ବନ୍ୟା ଆଶ୍ରୟ ସ୍ଥଳରୁ ବାହାର କରି ଦେବା ଭଳି ଖବର ସାମନାକୁ ଆସିଛି ।
ଏ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେମାନେ କହୁଛନ୍ତି ଯେ ସେମାନଙ୍କୁ ବନ୍ୟା ଆଶ୍ରୟ ସ୍ଥଳରୁ ତଡି ଦିଆଯାଇଛି । ସିନ୍ଧୀ ଭାଷାରେ ଏହି ଲୋକ ମାନେ ନିଜର ଭୟାବହ ସ୍ଥିତି ଓ ପ୍ରଶାସନର ତାଙ୍କ ପ୍ରତି ବ୍ୟବହାର ସମ୍ପର୍କରେ କହୁଥିବା ଦେଖିବାକୁ ମିଳିଛି । ସେମାନେ ହିନ୍ଦୁ ହୋଇଥିବା କାରଣରୁ ସେମାନଙ୍କୁ ବନ୍ୟା ଆଶ୍ରୟ ସ୍ଥଳରୁ ବାହାର କରିଦିଆଯାଇଥିବା ସେମାନେ କହୁଛନ୍ତି ।
ସେହିଭଳି ସିନ୍ଧରେ ବନ୍ୟାର ବିଭୀଷିକାକୁ ଭୋଗୁଥିବା ହିନ୍ଦୁ ମାନଙ୍କ ପ୍ରତି କରାଯାଉଥିବା ଭେଦଭାବ ଓ ଦୁର୍ଦଶାକୁ କଭର କରିଥିବା ଅଭିଯୋଗରେ ଜଣେ ସାମ୍ବାଦିକ ନସରୁଲ୍ଲାହ ଗଦାନୀଙ୍କୁ ପୋଲିସ ଗିରଫ କରିନେଇଛି ।
ହିନ୍ଦୁ ମାନଙ୍କର ଦୁର୍ଦଶାକୁ କଭର କରିଥିବା କାରଣରୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ପାଂଚ ଦିନିଆ ରିମାଣ୍ଡରେ ପଠାଯାଇଛି । ଏହି ସାମ୍ବାଦିକ ଜଣଙ୍କ ସିନ୍ଧର ମୀରପୁର ମଥେଲୋର ଭାଗରୀ ଜାତିର ଲୋକ ମାନଙ୍କ ସହ ଜଡିତ ହୃଦୟ ବିଦାରକ ଷ୍ଟୋରୀକୁ କଭର କରିଥିଲେ । ସେ ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଇଥିଲେ ଯେ ଏହି ଲୋକ ମାନଙ୍କୁ କେବଳ ହିନ୍ଦୁ ହେବା କାରଣରୁ ବନ୍ୟା ଆଶ୍ରୟ ସ୍ଥଳରୁ ବାହାର କରି ଦିଆଯାଇଥିଲା ।
ଅନ୍ୟ ପକ୍ଷରେ ଏଭଳି ବିପଜ୍ଜନକ ପ୍ରାକୃତିକ ବିପର୍ଯ୍ୟୟରେ ବଲୁଚିସ୍ତାନର କଚ୍ଛି ଜଲ୍ଲାର ଏକ ମନ୍ଦିର ଶହ ଶହ ଲୋକଙ୍କୁ ଶରଣ ଦେଇଛି । ଏହି ମନ୍ଦିରରେ ପାଖାପାଖି 3 ଶହ ଲୋକ ଆଶ୍ରୟ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ । ସେମାନଙ୍କୁ ମନ୍ଦିର ବିନା କୌଣସି ଭେଦଭାବରେ ଆଶ୍ରୟ ଦେଇଛି ।
ଏହି ମନ୍ଦିରର ପ୍ରଭାରୀ ରତନ ଲାଲ କହିଛନ୍ତି ଯେ ମନ୍ଦିରରେ ଶହେରୁ ଉର୍ଧ ପ୍ରକୋଷ୍ଠ ରହିଛି । ପ୍ରତିବର୍ଷ ବଲୁଚିସ୍ତାନ ଓ ସିନ୍ଧରୁ ହିନ୍ଦୁ ମାନେ ଏଠାକୁ ତୀର୍ଥ ଯାତ୍ରା ପାଇଁ ଆସିଥାନ୍ତି । ବନ୍ୟାରେ ମନ୍ଦିରକୁ ମଧ୍ୟ କିଛି କ୍ଷତି ଘଟିଛି । ହେଲେ ମୂଳ ମନ୍ଦିରର ଢାଂଚା ସୁରକ୍ଷିତ ରହିଛି । ତେଣୁ ଆମେ ବନ୍ୟା ପୀଡିତଙ୍କୁ ମନ୍ଦିରରେ ଆଶ୍ରୟ ଦେଇଛୁ ।