ଉଭୟ ମନ୍ତ୍ରୀ ଆଲୋଚନା କାଳରେ ଉଚ୍ଚଶିକ୍ଷା କ୍ଷେତ୍ର ବିଶେଷ ଭାବରେ ଛାତ୍ରଛାତ୍ରୀଙ୍କ ଉଭୟ ଦେଶକୁ ଯାତାୟତ, ଶିକ୍ଷକଙ୍କ ଆଦାନପ୍ରଦାନ, ଅଧ୍ୟୟନ, ପାରସ୍ପରିକ ପ୍ରାଥମିକତା କ୍ଷେତ୍ରକୁ ଗୁରୁତ୍ୱ ଦେଇଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଅଷ୍ଟ୍ରେଲିଆକୁ ଫେରିବା ବିଷୟରେ ଆଲୋଚନା କରିଥିଲେ । ଅପରପକ୍ଷରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଅଷ୍ଟ୍ରେଲିଆ ସରକାରଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଅବଗତ କରାଇଥିଲେ । ଭାରତରୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯାଉଥିବା ଛାତ୍ରଛାତ୍ରୀଙ୍କୁ ସବୁପ୍ରକାର ସାହାଯ୍ୟ କରିବା ଦିଗରେ ଉଭୟ ମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ଥିବା ଆଲୋଚନାରେ ଗୁରୁତ୍ୱାରୋପ କରିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଦେଶର ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଭାରତର ଯୁବପିଢିଙ୍କ ଆକାଂକ୍ଷା ତଥା ଭବିଷ୍ୟତ ଆବଶ୍ୟକତାକୁ ପୂରଣ କରିବା ସହ ଭାରତକୁ ବୈଶ୍ୱିକ ସ୍ତରରେ ଅଧିକ ପ୍ରାସଙ୍ଗିକ କରିବାରେ ସହାୟକ ହେବ । ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶ ଅଧିକ ସହଯୋଗୀ ହୋଇପାରିବା ନେଇ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ।