ବ୍ରିଟେନରେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ରାଜ କରିଥିବା ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ ଚଳିତମାସ ୮ ତାରିଖରେ ସ୍କଟଲାଣ୍ଡର ବାଲେମୋଗଲ କ୍ୟାସଲରେ ହୋଇଥିଲା। ଏହାପରେ ତାଙ୍କ ପୁଅ ପ୍ରିନ୍ସ ଚାର୍ଲସଙ୍କୁ ରାଜା ଘୋଷଣା କରାଯାଇଥିଲା। ନିକଟରେ ତାଙ୍କର ନାମକରଣ ମଧ୍ୟ ହୋଇଥିଲା। ତାଙ୍କୁ ତୃତୀୟ କିଙ୍ଗ ଚାର୍ଲସ ଭାବେ ନାମକରଣ ହୋଇଥିଲା। ମଙ୍ଗଳବାର ସେ ନିଜ ଭାଇଭଉଣୀଙ୍କ ସହ କିଙ୍ଗ ଚାର୍ଲସ ତୃତୀୟ ଏଡିନବର୍ଗ ଗସ୍ତ କରି ମା’ ତଥା ରାଣୀଙ୍କ ପାର୍ଥିବ ଶରୀର ଗ୍ରହଣ କରିଥିଲେ। କଫିନ ଶୋଭାଯାତ୍ରାରେ ରାଣୀଙ୍କ କଫିନ ପଛରେ ସମସ୍ତେ ଚାଲି ଚାଲି ଯାଇଥିଲେ। ଏହାପରେ ସେମାନେ ଲଣ୍ଡନ ଅଭିମୁଖେ ଉଡାଣ କରିଥିଲେ। ରାଣୀଙ୍କ ଶେଷ ଦର୍ଶନ ସକାଶେ ବର୍ତ୍ତମାନ ଓ୍ବେଷ୍ଟମିନଷ୍ଟର ହଲ ଠାରେ ଲୋକଙ୍କ ଭିଡ଼ ଲାଗିଛି। ଏହା ପାଖାପାଖି ୫କି.ମି. ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି। ମହାରାଣୀଙ୍କ ଶେଷଦର୍ଶନ ସାଧାରଣ ଜନତା ଏଠାରେ ୪ଦିନ ଧରି କରିପାରିବେ। ସେଥିପାଇଁ ସ୍ଥାନେ ସ୍ଥାନେ ଅସ୍ଥାୟୀ ପାଇଖାନା ଓ ପାନୀୟଜଳ ବ୍ୟବସ୍ଥା ସହ ଅନ୍ୟ ଜରୁରୀ ସାମଗ୍ରୀ ବ୍ୟବସ୍ଥା ମଧ୍ୟ କରାଯାଇଛି।
ପ୍ରକାଶ ଥାଉ କି, ସେପ୍ଟେମ୍ବର ୮ରେ ରାଣୀଙ୍କ ପରଲୋକ ହୋଇଥିଲା। ଏହାପରେ ୧୦ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ଆସନ୍ତା ୧୯ ତାରିଖରେ ରାଣୀଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହେବ।
ବିଦେଶ ଖବର ଆହୁରି ପଢନ୍ତୁ ।