ଡୋନେକ୍ସ ଓ ଲୁହାଁସ୍କରେ ୟୁକ୍ରେନ ସେନାର ଜବାବୀ ହାମଲା ପରେ ଏବେ କ୍ରିମିଆ ପଟୁ ଆକ୍ରମଣ ଯୋଜନାରେ ଅଛି ଋଷିଆ । ଏମିତି କି ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ୟୁକ୍ରେନ ସେନାର ଜବାବୀ ହାମଲାକୁ ସ୍ବୀକାର କରିଛି । ୟୁକ୍ରେନର ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ କମ୍ୟୁନିକେସନର ଦାବି ଅନୁସାରେ ଲମ୍ବା ଯୁଦ୍ଧ ସତ୍ତ୍ୱେ କିବ୍ ଉପରେ ଦଖଲ ନ କରିପାରିବା ଭୟରେ ଋଷିଆ ସେନା ଅଭ୍ୟାସ ଆଳରେ ବଡ ଷଡ଼ଯନ୍ତ୍ର ଆରମ୍ଭ କରିଛି । ସେହିପରି ଇନଷ୍ଟିଚ୍ୟୁଟ ଅଫ ଦି ଷ୍ଟଡି ଅଫ୍ ୱାର ଅନୁସାରେ , ଉତ୍ତରପଟୁ କ୍ରିମିଆ ଦେଇ ଜେପୋରଜିଆ ଆଡକୁ ଋଷିଆ ସେନା ଆଗକୁ ବଢୁଛି ।
ୟୁକ୍ରେନର ଦାବି ଅନୁସାରେ, ଉତ୍ତର-ପଶ୍ଚିମ କିବ୍ ରେ ଋଷି ମେସିନାରୀ ଉପରେ ବହୁତ କ୍ଷତି ହୋଇଛି । ସେହିପରି ଇରାପିନର ପୂର୍ବତନ ମେୟରଙ୍କ ଅନୁସାରେ, ଇରାପିନର ଆଖପାଖ ଅନେକ ସହରକୁ ଋଷିଆ ସେନା ଦଖଲ କରିସାରିଛି । ଇରାପିନଠାରୁ କିବ୍ ଦୂରତା ୨୦ କିଲୋମିଟର। ସେହିପରି ବାୟାଶିବରେ ଋଷିଆ ସେନା ସକ୍ରିୟ ରହିଛି । ଯାହା କିବଠାରୁ ୫୦ କିଲୋମିଟର ଦୂରରେ ରହିଛି । ସେପଟେ ବ୍ରିଟେନ, ଋଷିଆର ଏକ ଘରୋଇ ବିମାନକୁ ଅଟକ ରଖିଛି । ବ୍ରିଟେନର ଆକାଶ ବ୍ୟବହାର ନ କରିବାକୁ ଆଗରୁ ଋଷିଆକୁ ସତର୍କ କରିଥିଲା ବ୍ରିଟେନ। ଏହା ଫଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବା ଆଶଙ୍କା ଦେଖା ଦେଇଛି ।
ଅସ୍ତ୍ରରେ ଯୁଦ୍ଧ ଲଢୁଥିବା ଋଷକୁ ଲାଗିଛି ଆର୍ଥିକ ଝଟକା। ଋଷ ଉପରେ ଆମେରିକା ଆର୍ଥିକ ପ୍ରତିବନ୍ଧକ ଲଗାଇବା ପରେ ଏହାକୁ ଆର୍ଥିକ ପରମାଣୁ ଯୁଦ୍ଧ କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଡିମର ପୁତିନ । ଆମେରିକା ଋଷିଆଠାରୁ ଆଉ ଗ୍ୟାସ ଓ ତୈଳ ଆମଦାନୀ କରିବ ନାହିଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆମେରିକା ବ୍ୟବହାର କରୁଥିବା ମୋଟ୍ ପ୍ରେଟ୍ରୋଲିୟମ ଉତ୍ପାଦର ୮ ପ୍ରତିଶତ ଋଷରୁ ଆମଦାନୀ କରିଥାଏ । ଯାହା ପାଖାପାଖି ୬ ଲକ୍ଷ ୭୨ ହଜାର ବ୍ୟାରେଲ ହେବ ।
ଏହି ପ୍ରତିବନ୍ଧକରେ ୟୁରୋପିଅନ ୟୁନିଅନ ସାମିଲ୍ ନାହିଁ । ସେହିପରି ଆମେରିକା ସୁରକ୍ଷା ସହାୟତା ପାଇଁ ୟୁକ୍ରେନକୁ ୧ ବିଲିୟନ ଡଲାର ଦେବାକୁ ଘୋଷଣା କରିଛି । ଆମେରିକାର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଆମେରିକା ପରେ ବ୍ରିଟେନ ମଧ୍ୟ ଋଷିଆରୁ ତୈଳ ଆମଦାନୀ ନକରିବାକୁ ନିଷ୍ପତ୍ତି ନେଇଛି । ଏହି ବର୍ଷ ଶେଷସୁଦ୍ଧା ବନ୍ଦ କରିବାକୁ କହିଛି ବ୍ରିଟେନ । ସେପଟେ ନାଟୋ ସଦସ୍ୟତା ପାଇଁ ୟୁକ୍ରେନ ଆଉ ଇଚ୍ଛୁକ ନଥିବା କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।