ଅର୍ଗସ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧକୁ ପୁରିଛି ୧୫୦ ଦିନ। ବ୍ରେକ ଲାଗୁନି ଯୁଦ୍ଧରେ। କେବେ ଥମିବ ଏଯୁଦ୍ଧ ତାକୁ ନେଇ ଚିନ୍ତା ବଢ଼ୁଛି। ଏହି ଯୁଦ୍ଧ ପାଇଁ ଅନେକଙ୍କ ଜୀବନ ଯାଉଥିବାବେଳେ ଅନେକ ବାସହରା ହେଲେଣି। ତଥାପି ଯୁଦ୍ଧ କେବେ ସରିବ ତାହାର ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ମିଳିପାରିନାହିଁ। ରୁଷ ସେନା ପକ୍ଷରୁ କେନ୍ଦ୍ରୀୟ ୟୁକ୍ରେନର କିରୋଭୋରାଡସ୍କା ସହରସ୍ଥିତ ଏକ ବିମାନଘାଟି ଓ ରେଳ ଷ୍ଟେସନକୁ ଟାର୍ଗେଟ କରି ଘନ ଘନ ମିସାଇଲ ଆକ୍ରମଣ ହୋଇଥିବା ଜଣାପଡିଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ସେହିଭଳି ଓଡେଶା ଉପକୂଳରେ ଥିବା ଏକ ବନ୍ଦର ଉପରେ ରୁଷ ପକ୍ଷରୁ ୪ଟି ମିସାଇଲ ମାଡ କରାଯାଇଛି। ସେଥିରୁ ଦୁଇଟି ମିସାଇଲ ବନ୍ଦରରେ ପଡିଥିଲାବେଳେ ଆଉ ଦୁଇଟିକୁ ୟୁକ୍ରେନ ସେନା ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଅକାମୀ କରିଦେଇଛନ୍ତି।
କୃଷ୍ଣସାଗର ଉପକୂଳରେ ଥିବା ବନ୍ଦରକୁ ଖାଦ୍ୟଶସ୍ୟ ପରିବହନ ଲାଗି ଖୋଲିବାକୁ ରୁଷ ଓ ୟୁକ୍ରେନ ମଧ୍ୟରେ ଗତକାଲି ଇସ୍ତାନବୁଲରେ ବୁଝାମଣା ହୋଇଥିଲା। କିନ୍ତୁ ବୁଘାମଣାର ଦିନକ ପରେ ରୁଷ ବନ୍ଦର ଉପରେ ଏଭଳି ଆକ୍ରମଣ କରିଛି। କୃଷ୍ଣସାଗର ବାଟ ଦେଇ ୟୁକ୍ରେନ ଗହମ ଓ ମକା ବିଶ୍ୱର ଅନ୍ୟାନ୍ୟ ଦେଶକୁ ପଠାଯିବ। ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଅଟକି ରହିଛି ୨.୫ କୋଟି ଟନ ଗହମ ଓ ମକା। ଯୁଦ୍ଧ ଯୋଗୁଁ ବିଭିନ୍ନ ଦେଶରେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିବା ସହ ଅନେକ ଦେଶରେ ଖାଦ୍ୟ ସଙ୍କଟ ମଧ୍ୟ ସୃଷ୍ଟି ହୋଇଛି।
କିନ୍ତୁ ଆକ୍ରମଣରେ କଣ କ୍ଷୟକ୍ଷତି ଘଟିଛି ତାହାର ସୂଚନା ମିଳିପାରିନାହିଁ। ରୁଷ ବର୍ତ୍ତମାନ ଡୋନବାସକୁ ଟାର୍ଗେଟ କରିଛି। ଫଳରେ ରୁଷୀ ସେନାଙ୍କ ଗତିରେ ବ୍ରେକ ଲାଗିଥିବା ଜଣାପଡିଛି।
ବିଦେଶ ଖବର ଆହୁରି ପଢନ୍ତୁ ।