ଆପଣ ଭାବୁଥିବେ, ଏହି ଯୁଦ୍ଧରେ ଭାରତ ନିଜକୁ ନିରପେକ୍ଷ ରଖିବାକୁ ଚାହୁଁଥିବା ବେଳେ ଭାରତର ନାଁ ନେଇ ଯୁଦ୍ଧ ସପକ୍ଷରେ ଜଣେ ଭାରତୀୟ କିଛି କହିବେ, ଏ କଥା ସମୀଚୀନ ମନେ ହେଉନି। କିନ୍ତୁ ଏହା ସମ୍ପୁର୍ଣ୍ଣ ସତ୍ୟ। ଆମେ ଯେଉଁ ଭାରତୀୟଙ୍କ କଥା କହୁଛୁ ସେ ହେଉଛନ୍ତି ରୁଷ୍ ସରକାରଙ୍କ ଜଣେ ବିଧାୟକ। ତାଙ୍କର ନାଁ ହେଉଛି ଅଭୟ କୁମାର ସିଂ। ସମ୍ପ୍ରତି ସେ ନିର୍ବାଚନ ଜିତି କୁସର୍କ MLA ଭାବେ ରାଜନୀତି କରୁଛନ୍ତି। ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଜିତିଥିଲେ ବି ପରେ ସେ ପୁତିନଙ୍କ ୟୁନାଇଟେଡ ରସିଆ ପାର୍ଟିରେୋ ଯୋଗ ଦେଇଛନ୍ତି।
ବିହାର ରାଜ୍ୟର ପାଟଣାରେ ଜନ୍ମିତ ଅଭୟ, ଯୁଦ୍ଧ ସପକ୍ଷରେ ଏକ ଭାରତୀୟ ଗଣମାଧ୍ୟମକୁ ନିଜ ଇଣ୍ଟରଭ୍ୟୁରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତୀୟ ସେନା ଯେଭଳି ସର୍ଜିକାଲ ଷ୍ଟ୍ରାଇକ୍ କରିଛି, ଠିକ୍ ସେହିଭଳି ଭାବେ ରୁଷ୍, ୟୁକ୍ରେନ ଉପରେ ଆକ୍ରମଣ କରିଛି। ଏଣୁ ଏଥିରେ ରୁଷ୍ ସରକାରଙ୍କର କିଛି ଭୁଲ ନାହିଁ। ଅପରପକ୍ଷେ ସେ ଚୀନର ଉଦାହରଣ ମଧ୍ୟ ଦେଇଛନ୍ତି। କହିଛନ୍ତି, ଚୀନ ଭାରତର ସମ୍ପର୍କ ଭଲ ନାହିଁ। ଯଦି ଚୀନ ସରକାର ବାଂଲାଦେଶରେ ସାମରିକ କ୍ୟାମ୍ପ ସ୍ଥାପନ କରନ୍ତି, ଭାରତ ସରକାର ଆଦୌ ଚୁପ୍ ବସିବେନି। ସେହିପରି ଦେଖିଲେ ନାଟୋରେ ସାମିଲ ହେବାକୁ ଯାଉଥିବା ୟୁକ୍ରେନ ପାଇଁ ଏହା ଗୋଟିଏ ମୁହଁତୋଡ ଜବାବ। ଆମ ସୀମାନ୍ତରେ ଆମ ଶତ୍ରୁ ସେନା ସହ ହାତ ମିଳାଇ ବିପଦକୁ ଆମନ୍ତ୍ରଣ କରୁଥିବା ୟୁକ୍ରେନ ପାଇଁ ଏହା ଆବଶ୍ୟକ ଥିଲା।
ସୂଚନାଯୋଗ୍ୟ, ପାଟନାରେ ଜନ୍ମିତ ଅଭୟ କୁମାର ସିଂ ପଟନା ଲୈଲା ହାଇସ୍କୁଲରେ ପାଠ ପଢା ସମାପ୍ତ କରିବା ପରେ, ୧୯୯୦ ମସିହାରେ ମେଡିକାଲ ପାଠ ପଢିବାକୁ ରୁଷ୍ ପଳାଇଥିଲେ। ସେଠାରେ ସେ କୁସର୍କ ୟୁନିଭର୍ସିଟିରେ ପାସ କରି ଡାକ୍ତର ହେଲେ। ଇଏ ହେଉଛି ସେହି କୁସର୍କ ସହର ଯେଉଁଠାରେ ହିଟଲରଙ୍କୁ ହରାଇଥିଲା ରୁଷ୍। ଡାକ୍ତର ହେବା ପରେ ଅଭୟ ପାଟନା ଫେରନ୍ତି। କିନ୍ତୁ କାମରେ ମନ ନ ଲାଗିବାରୁ ପୁଣି ରୁଷ ଫେରନ୍ତି। ସେଠାରେ ପ୍ରଥମେ ମେଡିକାଲ ସେକ୍ଟରରେ ଚାକିରି ପରେ, ଫାର୍ମାସୁଟିକାଲ କମ୍ପାନୀ ମାଧ୍ୟମରେ ବିଜନେସ୍ କରନ୍ତି। ସଫଳତା ମିଳିବା ପରେ ରାଜନୀତିରେ ପାଦ ଥାପି ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଜିତନ୍ତି। ଆଉ ସୁଯୋଗ ଉଣ୍ଡି ପୁତିନଙ୍କ ୟୁନାଇଟେଡ ରୁଷିଆ ପାର୍ଟିରେ ଯୋଗ ଦିଅନ୍ତି।