ମିଡିଆ ତଥ୍ୟ ମୁତାବକ, ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଭିଚଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଘୋଷଣା କରାଯାଇପାରେ। କାରଣ ୟାନୁକୋଭିଚ ହେଉଛନ୍ତି ରୁଷର ଏକାନ୍ତ ଅନୁଗତ। କିନ୍ତୁ ୟୁକ୍ରେନର ଗୋଟିଏ ଗୋଷ୍ଠୀ ତାଙ୍କୁ ପୂର୍ବରୁ ବିରୋଧ କରିବାରୁ ସେ ୨୦୧୪, ପ୍ରେବୃୟାରୀ ୨୧ ତାରିଖରେ ଗାଦିଚ୍ୟୁତ ହୋଇଥିଲେ। ଫଳରେ ୟୁକ୍ରେନ ପାର୍ଲିଆମେଣ୍ଟରେ ୟାନୁକୋଭିଚ ସରକାରର ପତନ ଘଟିଥିଲା।
ଦିନେ ପରିସ୍ଥିତି ଏମିତି ହୋଇଥିଲା ଯେ, ୟୁକ୍ରେନ ପକ୍ଷରୁ ତାଙ୍କୁ ଆତତାୟୀ ବୋଲି ଘୋଷଣା କରାଯାଇଥିଲା ଏବଂ ତାଙ୍କ ନାମରେ ଗଣହତ୍ୟା ମାମଲାରେ ଏକ ଓ୍ବାରେଣ୍ଟ ଇସ୍ୟୁ ହୋଇଥିଲା। ଏହି ଅପବାଦ ପରେ ୟାନୁକୋଭିଚ ଆଉ ୟୁକ୍ରେନ ଫେରି ନ ଥିଲେ। ୨୦୧୯ରେ ୟୁକ୍ରେନ କୋର୍ଟ ତାଙ୍କୁ ଆଜୀବନ କାରାବାସ ସହ ଅତିରିକ୍ତ ଗୋଟିଏ ବର୍ଷ ଜେଲଦଣ୍ଡ ଶୁଣାଣି କରିଥିଲେ।
ୟୁକ୍ରେନ ଗଣମାଧ୍ୟମ ମୁତାବକ କିଭ୍ ଦଖଲ ପରେ ରୁଷ ରାଷ୍ଟ୍ରପତି ପୁତିନ୍ ଚିନ୍ତା କରୁଛନ୍ତି ଏଠାରେ ନିଜର ଅନୁଗତ ୟାନୁକୋଭିଚଙ୍କୁ ଜେଲେନସ୍କିଙ୍କ ସ୍ଥାନରେ ଅବସ୍ଥାପିତ କରାଇବେ।
ଅନଲାଇନ୍ ଖବର ସରବରାହ ସଂସ୍ଥା Ukrayinska Pravda ଦାବି କରୁଛି ଯେ, ରୁଷ୍ ୟାନୁକୋଭିଚଙ୍କୁ ଗାଦି ଦେବାକୁ ଗୋଟିଏ ବିଧିବଦ୍ଧ ଯୋଜନା ଆରମ୍ଭ ହୋଇଯାଇଛି। ଏପଟେ ‘The Kyiv Independent’ ଲେଖୁଛି ଯେ, ବର୍ତ୍ତମାନ ୟାନୁକୋଭିଚ୍ ବେଲାରୁଷର ରାଜଧାନୀ ମିନାସ୍କରେ ଥିବା ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ, ୟାନୁକୋଭିଚ୍ ହେଉଛନ୍ତି ୟୁକ୍ରେନର ୪ର୍ଥ ରାଷ୍ଟ୍ରପତି। ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ସେ ଦେଶର ଶାସନ ଭାର ସମ୍ଭାଳିଛନ୍ତି। ପ୍ରଥମ ୩ ବର୍ଷ ଶାନ୍ତି ଶୃଙ୍ଖଳାର ସହ ଶାସନ କରିବା ପରେ ଆରମ୍ଭ ହୋଇଥିଲା ବିଦ୍ରୋହ। ଫଳରେ ଗାଦିଚ୍ୟୁତ ହୋଇଥିଲେ ୟାନୁକୋଭିଚ୍ । ୨୦୧୩ ବେଳକୁ ୟୁରୋପିଆନ ୟୁନିୟନ ସହ ଏକ ଚୁକ୍ତି ସମ୍ପର୍କୀୟ ବିବାଦ ତାଙ୍କ ପାଇଁ ମହଙ୍ଗା ପଡିଥିଲା। ରୁଷ୍ ସରକାରଙ୍କଠାରୁ ବତ୍ତୀୟ ସହାୟତା ଲାଗି ତାଙ୍କ ନିଷ୍ପତ୍ତି ୟୁକ୍ରେନ ଜନତାଙ୍କ ଦ୍ବାରା ଅଗ୍ରାହ୍ୟ ହୋଇଥିଲା। ବିବାଦ ବଢିଥିଲା। ଏମିତିକି ୟୁକ୍ରେନ ସେନା ଓ ସାଧାରଣ ଜନତା ମୁହାଁମୁହିଁ ହେବାପରେ ବଦଳୁଥିବା ପରିସ୍ଥିତି ଦେଖି ବାଟ କାଟି ନେଇଥିଲେ ୟାନୁକୋଭିଚ୍। ୨୦୧୪ ଫେବୃୟାରୀ ୨୧ରେ ସେ କ୍ରିମିଆ ଦେଇ ୟୁକ୍ରେନରୁ ରୁଷିଆ ପଳାଇଥିଲେ।