ୟୁକ୍ରେନ ଉପରେ ରୁଷ୍ ର ଆକ୍ରମଣକୁ ଆଜି 5ମ ଦିନ । ଛାରଖାର ହୋଇପଡିଛି କ୍ୱିଭ ସହର । ଚାରିଆଡେ ହାହାକାର । ଦିନ ବଢିବା ସହ ଯୁଦ୍ଧର କରୁଣ ଚିତ୍ର ସାମନାକୁ ଆସୁଛି । କିଛିଦିନ ପୂର୍ବରୁ ଏହି ଦୃଶ୍ୟ କିଛି ଅଲଗା ଥିଲା । ୟୁକ୍ରେନବାସୀ ମୁକ୍ତ ଭାବରେ ଜୀବନ ବିତାଉଥିଲେ । ହେଲେ ଜୀବନର ଲକ୍ଷ୍ୟ ହିଁ ବଦଳିଯାଇଛି । ବଞ୍ଚିବାକୁ ପ୍ରତିମୂହୂର୍ତ୍ତରେ ଚାଲିଛି ସଂଘର୍ଷ ।
କେଉଁଠି ବହି ଖାତା ପଡିଛି ତ କେଉଁଠି ଖେଳନା । ଯେଉଁ ଘରର ପ୍ରତିଟି ଇଟ୍ଟା ସହ ସ୍ନେହଭରା ସମ୍ପର୍କ ଥିଲା ସେହି ଘର ଇଟ୍ଟା ଏବେ ଛିଟକି ପଡିଛି ରାସ୍ତାରେ । ସେ ହସ, ଖୁସି,ମୌଜ ମସ୍ତି ଆଉ ନାହିଁ, ଶୁଭୁଛି ତ କେବଳ ଗୁଳି..ବୋମା ଆଉ ଚିତ୍କାରର ଶବ୍ଦ । କ୍ୱିଭ୍ ରାସ୍ତାରେ ବୋଧେ ଏମିତି ଦୃଶ୍ୟ ପ୍ରଥମ ଥର ଦେଖିବାକୁ ମିଳୁଛି । ଯେଉଁ ରାସ୍ତା 24 ଘଣ୍ଟା କୋଳାହଳପୂର୍ଣ୍ଣ ରହୁଥିଲା ସେହି ରାସ୍ତା ଛିନଛତର ହୋଇପଡିଛି । ଆକ୍ରମଣରେ ବୃହତ ଅଟ୍ଟାଳିକାମାନ ବି ବର୍ତ୍ତିନି । ଯେମିତି ପୂର୍ବରୁ ଶାନ୍ତି ଦେଖୁଥିଲା ଏବେ ସେମିତି ଛିଡା ହୋଇ ସହରର ସର୍ବନାଶ ଦେଖୁଛି । ଯୁଦ୍ଧରେ ଏବେ ସୁଦ୍ଧା 500 ଲୋକଙ୍କ ଜୀବନ ଯାଇଥିବା କୁହାଯାଉଥିବାବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିବା କୁହାଯାଉଛି । ଧୂଆଁରେ ଆଚ୍ଛାଦିତ ହୋଇପଡିଛି ୟୁକ୍ରେନର ରାଜଧାନୀ କ୍ୱିଭ ସହର ।
ଅନ୍ୟପଟେ ଯୁଦ୍ଧକୁ ନେଇ ବେଲାରୁଷରେ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ହେବ ଆଲୋଚନା । ଭାରତୀୟ ସମୟ ଅନୁଯାୟୀ ଏହି ଆଲୋଚନା ସାଢ଼େ ୩ଟାରେ ହେବ । ବେଲାରୁଷର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ଫଟୋ ଟ୍ୱିଟ୍ କରି ଏନେଇ ସୂଚନା ଦିଆଯାଇଛି । ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ମଞ୍ଚ ପ୍ରସ୍ତୁତ ହୋଇସାରିଛି । କେବଳ ଦୁଇ ଦେଶର ପ୍ରତିନିଧିମଣ୍ଡଳଙ୍କୁ ଅପେକ୍ଷା ବୋଲି ଟ୍ୱିଟ୍ରେ କୁହାଯାଇଛି।