ମହିଳା ମାନେ କୌଣସି ପରିସ୍ଥିତିରେ ଏହି ଆନ୍ଦୋଳନରୁ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି ।ସେମାନେ ସାର୍ବଜନୀନ ଭାବେ ଶାରିଆ ଆଇନକୁ ବହିଷ୍କାର କରିବାରେ ଲାଗିଛନ୍ତି । ହିଜାବ ବିରୋଧୀ ଜୋରଦାର ପ୍ରଦର୍ଶନ ହେବା କାରଣରୁ ବର୍ତମାନ ସୁଦ୍ଧା 40ରୁ ଉର୍ଧ ଲୋକ ପ୍ରାଣ ହରାଇ ସାରିଲେଣି ।ଇରାନ ପରେ ଏହି ହିଜାବ ବିରୋଧୀ ଆନ୍ଦୋଳନ ତୁର୍କୀରେ ପହଂଚି ସାରିଲାଣି ।
ତୁର୍କୀରେ ଜଣେ ପ୍ରସିଦ୍ଧ ଗାୟିକା ମଲେକ ମେସ୍ସୋ ଖୋଲାଖୋଲି ଭାବେ ଏହି ହିଜାବ ବିରୋଧୀ ଆନ୍ଦୋଳନକୁ ସମର୍ଥନ ପ୍ରଦାନ କରିଛନ୍ତି । ସେ ଏକ ଷ୍ଟେଜ ଶୋ ରେ ମଂଚ ଉପରେ ସାର୍ବଜନୀନ ଭାବେ ନିଜର କେଶକୁ କାଟି ଦେଇଥିବା ଦେଖିବାକୁ ମିଳୁଛି । ଏହି ଛୋଟ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ହିଜାବ ବିରୋଧୀ ଏହି ଆନ୍ଦୋଳନରେ ଇରାନର ମହିଳା ମାନଙ୍କୁ ସାରା ବିଶ୍ବରୁ ସମର୍ଥନ ମିଳିବାରେ ଲାଗିଛି । ସମାଜର ସବୁ ବର୍ଗର ଲୋକ ମାନେ ସେମାନଙ୍କ ସମର୍ଥନରେ ବାହାରୁଛନ୍ତି ।
ଅନ୍ୟ ପଟେ ଇରାନରେ ଜାରୀ ମହିଳା ମାନଙ୍କର ବିରୋଧ ପ୍ରଦର୍ଶନ ମଧ୍ୟରେ ଇରାନର ପୋଲିସ ସେଠାକାର ପୂର୍ବତନ ରାଷ୍ଟ୍ରପତି ଅଲି ଅକବର ହାସମି ରଫସଜାୱନୀଙ୍କ ଝିଅ ଫାହେଜ ହାସମୀଙ୍କୁ ଗିରଫ କରି ନେଇଛି। ସେ ରାଜଧାନୀ ତେହେରାନରେ ହିଜାବ ବିରୋଧୀ ଆନ୍ଦୋଳନକୁ ଉସୁକାଉଛନ୍ତି ବୋଲି ଇରାନ ପୋଲିସ କହିଛି । ଇରାନର ଏହି ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଇରାନର ଇସଲାମୀ ସରକାରଙ୍କ ନୀତିର ସମାଲୋଚକ ଭାବେ ଜଣାଶୁଣା । ସେ କଟ୍ଟରପନ୍ଥୀ ଇସଲାମୀ ନୀତି ବିରୁଦ୍ଧରେ ଅନେକ ଥର ଆନ୍ଦୋଳନ କରିଛନ୍ତି । ସେ ଅନେକ ଥର ଗିରଫ ମଧ୍ୟ ହୋଇଛନ୍ତି । ଇରାନରେ ନିଜର ମୁଣ୍ଡକୁ ନ ଢାଙ୍କିଥିବା କାରଣରୁ ଅର୍ଥାତ ହିଜାବ ପିନ୍ଧି ନ ଥିବା କାରଣରୁ ଜଣେ 23 ବର୍ଷୀୟ ଯୁବତୀ ମହସା ଅମିନୀଙ୍କୁ ଗିରଫ କରିବା ପରେ ଅକଥନୀୟ ଅତ୍ୟାଚାର କରି ତାଙ୍କୁ ହତ୍ୟା କରିବା ଘଟଣା ମାନବିକତାକୁ ଦୋହଲାଇ ଦେଇଛି ।
ହସା ଅମିନୀଙ୍କ ଅନ୍ତିମ ସଂସ୍କାର ସମୟରେ ଶହ ଶହ ଇରାନୀ ମହିଳା ରାସ୍ତାକୁ ଓହ୍ଲାଇ ହିଜାବକୁ ରାସ୍ତାରେ ଫିଙ୍ଗି ଦେଇ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ସେତେବେଳେ ଅନେକ ପୁରୁଷ ମଧ୍ୟ ସେମାନଙ୍କର ସମର୍ଥନରେ ବାହାରିଥିଲେ । ବିରୋଧ ଏତେ ବଢି ଯାଇଥିଲା ଯେ ପୋଲିସ ଟିୟର ଗ୍ୟାସ ଛାଡିବା ସହ ଗୁଳି ଚଳାଇଥିଲା । ଏହା ସତ୍ବେ ମହିଳା ମାନେ ପ୍ରତିବାଦ ଜାରୀ ରଖିଥିଲେ । 1979 ମସିହାରେ ଇରାନରେ ଇସଲାମୀ କ୍ରାନ୍ତି ହେବା ପରେ ସେଠାରେ ଇସଲାମୀ କଟ୍ଟରତା ଆସିଲା ଓ ମହିଳା ମାନଙ୍କୁ ଇସଲାମୀ ଆଇନ ଅନୁସାରେ ହିଜାବ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଥିଲା ।
ବିଦେଶ ଖବର ଆହୁରି ପଢନ୍ତୁ ।