ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଭିଡିଓ କନଫରେନ୍ସ ଯୋଗେ ପରସ୍ପର ସହ ଘଣ୍ଟାଧିକ କାଳ କଥା ହୋଇଥିଲେ । ଏହି ସମୟରେ ତାଇୱାନ ପ୍ରସଙ୍ଗ ଉଠିଥିଲା । ପେଲୋସି କିମ୍ବା ଆମେରିକାର କୌଣସି ବରିଷ୍ଠ ନେତାଙ୍କ ତାଇୱାନ ଗସ୍ତକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିନପିଙ୍ଗ କହିଥିଲେ । ଏମିତି କି ନିଆଁ ସହ ନଖେଳିବାକୁ ତାଗିଦ୍ କରିଥିଲେ । ଏହା ସତ୍ତ୍ୱେ ପେଲୋସି ନିଜ ଗସ୍ତ କାର୍ଯ୍ୟକ୍ରମକୁ ଆଗକୁ ବଢାଇଛନ୍ତି ।
ପେଲୋସିଙ୍କ ଏଭଳି ଗସ୍ତ ପୂର୍ବରୁ ଚୀନ୍ ଆମେରିକାକୁ ଧମକ ଦେଇଛି । ପେଲୋସି ତାଇୱାନ ଗଲେ ମହଙ୍ଗା ପଡିବ । ଆମେରିକା ଏହାର ମୂଲ୍ୟ ଦେବ ବୋଲି କହିଥିଲା । ଚୀନର ସର୍ବଭୌମତ୍ୱକୁ ଅଣଦେଖା କରି ଆମେରିକା ଏଭଳି ପଦକ୍ଷେପ ନେଇଥିବା ଚୀନ୍ ର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଙ୍ଗ୍ କହିଛନ୍ତି । ତାଇୱାନ ପ୍ରସଙ୍ଗରେ ଆମେରିକା ବିଶ୍ୱାସଘାତ କରିଥିବା ଚୀନ୍ ର ବିଦେଶ ମନ୍ତ୍ରୀ ୱାଙ୍ଗ୍ ୟି କହିଥିବା ଜଣାପଡିଛି ।
ଚୀନ୍ ର ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ ଦକ୍ଷିଣ ଚୀନ୍ ସମୁଦ୍ରରେ ୟୁଏସ୍ ଏସ୍ ରେନାଲ୍ଡ ରେଗାନ୍ ବିମାନବାହୀ ଜାହାଜ ପଠାଯାଉଛି । ଏହା ଏବେ ପର୍ବ ତାଇୱାନର ଫିଲିପାଇନ୍ସ ସମୁଦ୍ରରେ ମୁତୟନ ହୋଇଛି । ଏଥିରେ ଏକ ଗାଇଡେଡ୍ ମିସାଇଲ୍ କ୍ରୁଜର୍ , ୟୁଏସଏସ୍ ଆଣ୍ଟିଟାମ୍ ଓ ଏକ ବିଧ୍ୱଂସକ ରହିଛି । ଏହାଛଡା ୟୁଏସଏସ ତ୍ରିପୋଲି ଜାହାଜ ମଧ୍ୟ ମୁତୟନ ହୋଇଛି । ଆମେରିକାର ସାଟେଲାଇଟ୍ ଚୀନ ଉପରେ ଫୋକସ କରିଛି । ଅନ୍ୟପକ୍ଷରେ ମଙ୍ଗଳବାର ସକାଳେ ଚୀନ୍ ର ଯୁଦ୍ଧ ଜାହାଜ ମଧ୍ୟ ଜନମାର୍ଗ ହେଇ ଯାତ୍ରା କରିଛି । ଏ ବାବଦରେ ଚୀନର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଦିଆଯାଇ ନାହିଁ ।