ଭୁବନେଶ୍ୱର: ରାଜ୍ୟରେ ପୁଣି ତାତି ବଢ଼ିବ । କାଳବୈଶାଖୀ ବର୍ଷା ପରେ ଯେଉଁଭଳି ଭାବରେ ଖରା ହେଉଛି ଏହାପରେ ବାହାରକୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡୁଛି ।ତେବେ ରାଜ୍ୟରେ ତାତି ସର୍ବୋଚ୍ଚ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପିଯିବ । କେନ୍ଦ୍ରର ସୂଚନା ଅନୁସାରେ ୪ ଦିନ ହେଲା ରାଜ୍ୟରେ ତାପମାତ୍ରା ଅପେକ୍ଷାକୃତ କମ୍ ରହିଥିଲା । ତେବେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ଥିଲେ ହେଁ ଏପ୍ରିଲ ଦ୍ୱିତୀୟ ସପ୍ତାହ ସୁଦ୍ଧା ରାଜ୍ୟବାସୀଙ୍କୁ ତାତିର ତ୍ରାହି ମିଳିବ ନାହିଁ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।
ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ସ୍ଥିତି ଏହିପରି ରହିବ । ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ୭ ତାରିଖ ଠାରୁ ପୁଣି ତାତି ବଢ଼ିବ । ୯ ତାରିଖ ଅପରାହ୍ନ ଆଡ଼କୁ ୯ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷ ହେବ ।