ଆଉ କାଇ ଘଣ୍ଟାର ଅପେକ୍ଷା। ଚଳଚଞ୍ଚଳ ହେଲାଣି ଶ୍ରୀମନ୍ଦିର। ଆଜି ଏ ବର୍ଷର ଶେଷ ଘୋଡାଲାଗି। ରାତିରେ ଆଜି ପୁଣି, ପଦ୍ମବେଶ ହେବେ ବଡ ଠାକୁର। ଆଉ ସେଇ ଦୁର୍ଲଭ ପଦ୍ମବେଶ ପାଇଁ ଭୁବନେଶ୍ବରର ଚିନ୍ତାମଣି ଦାସ ଓ ତାଙ୍କ ପତ୍ନୀ ମୁଣ୍ଡରେ ମୁଣ୍ଡେଇ ଆଣିଛନ୍ତି ଦୁର୍ଲଭ ପଦ୍ମଫୁଲ। କହୁଛନ୍ତି ଦେହରେ ଜୀବନ ଥିଲା ତୋ ସେବାରେ ଏମିତି ଲାଗିଥିବିରେ କାଳିଆ । ଆଉ ମାଗିବାକୁ ମୋର କିଛି ନାହିଁ।
ଦର୍ଶକବନ୍ଧୁ, ଚିନ୍ତାମଣି ବାବୁଙ୍କର ଏହି ରୋଚକ ସେବା ପଛରେ ରହିଛି ଗୋଟିଏ ଅଦ୍ଭୁତ ଆଉ ଅଲୌକିକ କାହାଣୀ। ଭୁବନେଶ୍ବରରେ ଚିକିରି କରିଥିଲା ଚିନ୍ତାମଣି ବାବୁ। ଦରମା ବଢିଲା ପରେ ଜାଗା ଖଣ୍ଡେ କିଣିବାକୁ ମନ ବଳେଇଲେ। ଯେଉଁଠିକି ଜାଗା ଦେଖିବାକୁ ଗଲେ, ସେହି ଜାଗାକୁ ଲାଗି ଗୋଟିଏ ପଦ୍ମପୋଖରୀ ତାଙ୍କ ଆଖିରେ ପଡିଲା। ସେ ଆଶ୍ଚର୍ଯ୍ୟ ହେଲେ। ଶୀତଦିନେ ପଦ୍ମଫୁଲ ମିଳେନି। ହେଲେ ଏଠି ଦୃଶ୍ୟ କିଛି ଅଲଗା ଥିଲା। ଚିନ୍ତାମଣି ବାବୁ ସ୍ଥିର କଲେ ଏଇଠି ରହିବେ, ଏଇ ପୋଖରୀରୁ ଫୁଲ ତୋଳି ବଡ଼ ଦେଉଳକୁ ପଠାଇବେ। ବାସ୍ ତା ପରଠୁ ସେ ଆଉ ପଛକୁ ଚାହିଁ ନାହାନ୍ତି। ୨୦୧୧ ମସିହାରୁ ଆଜି ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ସେ ପଦ୍ମବେଶ ପାଇଁ ଫୁଲ ଯୋଗାଇ ଆସୁଛନ୍ତି। ସେ ପୋଖରୀରେ ଏବେ ନିରାଟ ଜାଡରେ ଫୁଟୁଛି ପଦ୍ମଫୁଲ। ସମଧର୍ମା ପତ୍ନୀ ମଧ୍ୟ ତାଙ୍କ ସହ କାଳିଆ ସାଆନ୍ତଙ୍କ ପାଇଁ ଫୁଲ ଗୁନ୍ଥି ଆଣୁଛନ୍ତି ପ୍ରତିବର୍ଷ।
ଶ୍ରୀନ୍ଦିରର ଏହି ଦୁର୍ଲଭ ପଦ୍ମବେଶ ପଛର କାହାଣୀ ବି ଚିନ୍ତାମଣି ବାବୁଙ୍କ କାହାଣୀ ସହ ଅବିକଳ ମିଶିଯାଏ। ସେତେବେଳେ ମନୋହର ଦାସ ନାମକ ଜଣେ ସାଧୁ ଶ୍ରୀକ୍ଷେତ୍ର ଆସୁଥିଲେ। ନଜର ପଡିଲା ଏକ ପଦ୍ମପୋଖରୀ ଉପରେ। ତୋଳି ଆଣି ସେ ନିଜ ଗାମୁଛାରେ ବାନ୍ଧିଲେ। ଆଉ ତା ପରେ ଯାହା ହେଲା, ତାହା ଥିଲା ଦିବ୍ୟ ଆଉ ସମ୍ପୁର୍ଣ୍ଣ ଅଲୌକିକ।
କେଉଁ କାଳଖଣ୍ଡରେ ଶୋଇଯାଇଛି ମନୋହର ଦାସଙ୍କ କାହାଣୀ। କିନ୍ତୁ ଲୀଳାମୟ ଜଗନ୍ନାଥଙ୍କ ଲୀଳାକୁ ପ୍ରତ୍ୟକ୍ଷ କରୁଛି ଦେଶ। ମନୋହର ନାହାନ୍ତି ସତ, ହେଲେ ତାଙ୍କ ସ୍ଥାନରେ ଫୁଲରସିଆ କାଳିଆ ଦିଅଁଙ୍କ ପାଇଁ ଫୁଲ ତୋଳୁଛନ୍ତି ଚିନ୍ତାମଣି ଦାସ।