ନୂଆଦିଲ୍ଲୀ: ଆକ୍ସନ ଆଧାରିତ ରିୟାଲିଟି ସୋ ‘ଖତରୋଁ କେ ଖିଲାଡି’(କେକେକେ-10)ର ଦଶମ ସିଜିନ୍ର ବିଜେତା ହେଲେ ଅଭିନେତ୍ରୀ କରିସ୍ମା ତନ୍ନା । ବଲିଉଡ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟି ହୋଷ୍ଟ କରୁଥିବା ଏହି କାର୍ଯ୍ୟକ୍ରମ ଯେତିକି ରୋମାଞ୍ଚକର ସେତେ କଷ୍ଟକର ମଧ୍ୟ । ତେବେ ଏହି ସୋର ଗ୍ରାଣ୍ଡ ଫାଇନାଲ ଟ୍ରଫି ନିଜ ନାଁରେ କରିନେଇଛନ୍ତି କରିସ୍ମା । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କରିସ୍ମା କହିଛନ୍ତି, ଯେତେ ସବୁ କଷ୍ଟକର ଷ୍ଟଣ୍ଟ ସେ କରିଛନ୍ତି ସେ ସବୁ କରିବାରେ ତାଙ୍କ ସହ ମାଙ୍କ ଆଶୀର୍ବାଦ ଥିଲା ।
ପ୍ରଥମେ ସୋ କରିବାକୁ ଡର ଲାଗିଥିଲା । ଏପରିକି ଏହି ସୋ ମୋ ପାଇଁ ନୁହେଁ ବୋଲି ଭାବିଥିଲି । କିନ୍ତୁ ପରେ ପରେ ଏହା କରିବାକୁ ଭଲ ଲାଗିଥିଲା । ଏବେ ଏହାର ରେଜଲ୍ଟ ମିଳିଲା ବୋଲି ମଧ୍ୟ କହିଛନ୍ତି କରିସ୍ମା ।
ଏହି ସୋରେ କରିସ୍ମା ଜିତି ସାବ୍ୟସ୍ତ କରିଦେଲେ ମହିଳାମାନେ ମଧ୍ୟ ଖିଲାଡି ହୋଇପାରିବେ । ଏନେଇ କରିସ୍ମା କହିଛନ୍ତି, ‘ପୁରୁଷଙ୍କୁ ଭଗବାନ ମଜଭୁତ କରିଛନ୍ତି । କିନ୍ତୁ ମହିଳାମାନେ ଭାବନାତ୍ମକ ଭାବେ ଷ୍ଟ୍ରଙ୍ଗ । ତେଣୁ ମୁଁ ଏହାର ଉପଯୋଗ କରି ଜିତ ହାସଲ କରିଛି ।’ ଏହି ସୋ ଜିତିବା ସହଜ ନଥିଲା ବୋଲି କହିଛନ୍ତି କରିସ୍ମା । ଟକ୍କର ସମସ୍ତଙ୍କ ସହ ଥିଲା କିନ୍ତୁ କରଣ ପଟେଲ, ଧର୍ମେଶ ୟେଲାନ୍ଦେ ଓ ତେଜସ୍ୱୀ ପ୍ରକାଶଙ୍କ ସହ ଅଧିକ ଥିଲା ।
ତେବେ ଶେଷ ପର୍ଯ୍ୟନ୍ତ କରିସ୍ମା ଓ ଧର୍ମେଶଙ୍କ ମଧ୍ୟରେ ସିଧା ଟକ୍କର ଥିଲା । ତେବେ ଏଥିରେ ବାଜିମାତ କରି କେକେକେ-10 ଟ୍ରଫି ନିଜ ନାଁରେ କରିନେଇଛନ୍ତି ଅଭିନେତ୍ରୀ କରିସ୍ମା ତନ୍ନା ।