ନୂଆଦିଲ୍ଲୀ/ଭୁବନେଶ୍ୱର: ଅମାନିଆଙ୍କୁ ବାନ୍ଧ । ଯିଏ ନିୟମ ନମାନୁଛି ତାଙ୍କୁ ଛାଡ ନାହିଁ । ଲକ୍ଡାଉନ ସମୟରେ କେନ୍ଦ୍ର ସରକାର ଜାରି କରିଥିବା କଟକଣାକୁ ଲୋକମାନେ ବେଖାତିର କରୁଛନ୍ତି । ମାତ୍ର ଏବେ କୌଣସି ପ୍ରକାର ଢିଲାପଣକୁ ବରଦାସ୍ତ କରାଯିବନି । ଯେଉଁମାନେ ଏହାକୁ ଉଲ୍ଲଂଘନ କରି ଆଇନ ଅମାନ୍ୟ କରୁଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କର । କୋରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁପାଳନ କରିବାକୁ ପୁଣିଥରେ ସ୍ୱରାଷ୍ଟ୍ର ସଚିବ ଅଜୟ ଭଲ୍ଲା ଏଭଳି ତାଗିଦ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ, ନିୟମ ମାନୁନଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇବାକୁ ଶ୍ରୀ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି । ସେ ଆହୁରି କହିଛନ୍ତି ଯେ, ତାଲା ବନ୍ଦ ସମୟରେ ଲୋକମାନେ ଘରେ ରହିବାକୁ ଗତ 24 ତାରିଖରେ ଜାରି କରାଯାଇଥିବା ମାର୍ଗ ଦର୍ଶିକାରେ ସ୍ପଷ୍ଟ ଉଲ୍ଲେଖ ରହିଛି ।
ଏହାର ନକଲ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ଏବେ ଲୋକମାନେ ଅତ୍ୟାବଶ୍ୟକୀୟ ଜିନିଷ କିଣିବା ବାହାନାରେ ବଜାର, ଛକ, ମାର୍କେଟରେ ବୁଲିବା ସହ ଭିଡ ଜମାଉଥିବା ନଜରକୁ ଆସିଛି । ଏପରିକି ସାମାଜିକ ଦୂରତା ରକ୍ଷା ପାଇଁ ଥିବା ନିୟମକୁ ଖାତିର କରୁନାହାନ୍ତି । ତେବେ ତାଲାବନ୍ଦକୁ ନେଇ ଏକ ରିଟ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ବିପର୍ଯ୍ୟୟ ପରିଚାଳନା ଆଇନ ଓ ଆଇପିସି ଅନୁଯାୟୀ ବେପରୁଆ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଓ ଦେଶର
ନାଗରିକମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବେ ବୋଲି ବିଶ୍ୱାସ ଅଛି । ଅନ୍ୟପଟେ ଉଲ୍ଲଂଘନକାରୀଙ୍କ ବିରୋଧରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ-2005ର ଧାରା 51ରୁ 60 ସହିତ ଆଇପିସିର ଧାରା 188 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି
