ନୂଆଦିଲ୍ଲୀ : ଆଉ ଦୁଇ ସପ୍ତାହ ଲକ୍ଡାଉନ୍ ବଢାଇଛନ୍ତି କେନ୍ଦ୍ର ସରକାର । ଏହା ଫଳରେ ସମଗ୍ର ଦେଶରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ । ଏଥିଲାଗି କେନ୍ଦ୍ର ସରକାର ନୂତନ ଗାଇଡଲାଇନ୍ ଜାରି କରୁଛନ୍ତି। ଗାଇଡଲାଇନ୍ ଅନୁସାରେ ଏଥର କୋରୋନା ସଂକ୍ରମଣ ନେଇ ଘୋଷିତ ଗ୍ରିନ୍ ଜୋନ ଓ ଅରେଞ୍ଜ ଜୋନଗୁଡ଼ିକ ପାଇଁ କେତେକ କୋହଳ ଘୋଷଣା କରାଯାଇଛି ।
ତେବେ ରେଡ୍ ଜୋନ ପାଇଁ ଅଧିକ କଟକଣା ଜାରି ରହିବ । ଏହି ଲକଡାଉନ ବଢିବା ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଲକଡାଉନ ଅବଧି ଆସନ୍ତା ୩ ତାରିଖରେ ଶେଷ ହେବାକୁ ଥିବା ବେଳେ ଦେଶର ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପିୟୁଷ ଗୋଏଲ, ବିମାନଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରିଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ । ଗତକାଲି ଅର୍ଥାତ ଗୁରୁବାରଦିନ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ଅର୍ଥନୈତିକ ସ୍ଥିତି ସୁଧାରିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।
