
ନୂଆଦିଲ୍ଲୀ : କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍ରେଲ 14 ଯାଏଁ ଲକଡାଉନ ଘୋଷଣା କରିଛନ୍ତି। ଏଥିପାଇଁ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନେ ଘରେ ଯେପରି ମନୋରଞ୍ଜନ କରିପାରିବେ ସେଥିପାଇଁ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଆସନ୍ତାକାଲି ଠାରୁ ଦୂରଦର୍ଶନରେ ମହାଭାରତ ପ୍ରସାରଣ କରାଯିବ ବୋଲି ଘୋଷଣା କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଏନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।
ପ୍ରକାଶ ଜାବଡ଼େକର ଲେଖିଛନ୍ତି ଯେ, ଆସନ୍ତାକାଲି ଅର୍ତାତ୍ 28 ତାରିଖ ଶନିବାର ଠାରୁ ଦୂରଦର୍ଶନରେ ମହାଭାରତ ପ୍ରସାରଣ କରାଯିବ। ଏହି ଶୋ ପ୍ରତିଦିନ ମଧ୍ୟାହ୍ନ 12ଟାରେ ଏବଂ ସନ୍ଧ୍ୟା 7ଟାରେ ପ୍ରସାରଣ କରାଯିବ।
ତେବେ ଏହା ପୂର୍ବରୁ ରାମାନନ୍ଦ ସାଗରଙ୍କ ପ୍ରସ୍ତୁତ ରାମାୟଣ ଦୂରଦର୍ଶନରେ ସକାଳ 9ଟାରେ ଥରେ ଓ ରାତ୍ରୀ 9ଟାରେ ଥରେ ପ୍ରସାରଣ କରାଯିବ ବୋଲି ସୂଚନା ଦେଇଥିଲେ। ତେବେ 80 ଦଶକର ଏହି ଶୋ ଲୋକମାନଙ୍କ ନିକଟରେ ଖୁବ୍ ଆଦୃତ ହୋଇଥିଲା। ଏପରିକି ଲୋକମାନେ ଏହି ଶୋରେ ମୁଖ୍ୟ ଭୂମିକାରେ ଥିବା ଚରିତ୍ରମାନଙ୍କୁ ଭଗବାନ ଭାବୁଥିଲେ। ଏବେ ସରକାରଙ୍କ ଦ୍ଵାରା ପୁଣି ଥରେ ଏହି ଦୁଇଟି ଶୋ ପ୍ରସାରଣ କରାଯିବ।
