
ଅର୍ଗସ ବ୍ୟୁରୋ : ପୃଥିବୀର ଉତ୍ତର ମେରୁର ଓଜନ ସ୍ତରରେ ବଡ ଫାଟ । ବିଶ୍ବରେ କରୋନା ପାଇଁ ଲକଡ ଡାଉନ ହୋଇଥିବା ବେଳେ କିଭଳି ଫାଟ ସୃଷ୍ଟି ହେଲା ତାକୁ ନେଇ ଗବେଷଣା କରୁଥିବା ବୈଜ୍ଞାନିକ ଚିନ୍ତା ପ୍ରକଟ କରିଛନ୍ତି । ସାରା ବିଶ୍ୱରେ ଏବେ କୋରୋନା ପାଇଁ କଳକାରଖାନା, ଯାତାୟତ ପୁରା ଠପ ହୋଇଯାଇଥିବା ବେଳେ କେଉଁ ପରିସ୍ଥିତିରେ ଓ କାହିଁକି ଏଭଳି ଫାଟ ସୃଷ୍ଟି ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷ କରି ଉତ୍ତର ମେରୁର ଆର୍ଣ୍ଟାଟିକା ଭାଗରେ ଅତିବାଇଗଣି ରଶ୍ମି ଅର୍ଥାତ ଅଲଟ୍ରାଭାଓଲେଟକୁ ରୋକୁଥିବା ଓଜନ ଲେୟାରରେ ଫାଟ ସୃଷ୍ଟି ହୋଇଛି । ଆଉ ଯାହାର ପରିସୀମା 10 ଲକ୍ଷ ବର୍ଗ କିଲୋମିଟର ବୋଲି ବୈଜ୍ଞାନିକମାନେ କହିଛନ୍ତି । ପୃଥିବୀ ପାଣିପାଗର ବାରମ୍ବାର ପରିବର୍ତ୍ତନ ସହ ବାୟୁମଣ୍ଡଳର ପ୍ରଦୁଷଣ ହିଁ ଓଜନ ସ୍ତରରେ ଛିଦ୍ର ହେବାର ପ୍ରମୁଖ କାରଣ ବୋଲି କୁହାଯାଇଛି । ଓଜନ ସ୍ତରର କ୍ଷତି ପହଞ୍ଚାଉଥିବା କ୍ଲୋରଫୋରକାର୍ବନ ପଦାର୍ଥ, ଅଲଟ୍ରା କ୍ଲୋରଫୋରକାର୍ବାନ ଓ ବାଦଲ କାରଣରୁ ଷ୍ଟ୍ରାଟସସ୍ପିୟର ଉପରେ ପ୍ରଭାବ ପକାଉଛି । ଫଳରେ ଓଜନର ସ୍ତର ପତଳା ହୋଇ ବଡ ଛିଦ୍ର ସୃଷ୍ଟି କରୁଛି । ପୃଥିବୀ ପୃଷ୍ଟରୁ ଷ୍ଟ୍ରାଟସସ୍ପିୟର 10ରୁ 50 କିଲୋମିଟର ଯାଏ ରହିଥାଏ । ଯାହାକି ପୃଥିବୀ ପୃଷ୍ଟକୁ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣି ରଶ୍ମୀକୁ ରୋକିଥାଏ ।
ସେପଟେ ଓଜନ ସ୍ତର ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ କହିଛନ୍ତି ଦକ୍ଷିଣ ମେରୁରେ ମଧ୍ୟ ଛିଦ୍ର ହୋଇଥାଏ, ମାତ୍ର ତାହା ପୁରଣ ହୋଇଥାଏ । ତେବେ ଆଣ୍ଟାର୍ଟିକାର ଉତ୍ତର ମେରୁରେ ପ୍ରଥମ ଥର ପାଇଁ ଏତେ ବଡ ଧରଣର ଛିଦ୍ର ଦେଖାଦେଇଛି । କମ୍ ତାପମାତ୍ର, ସୂର୍ଯ୍ୟଙ୍କ ରଶ୍ମୀ ଓଜନ ଲେୟାରରେ ପଡିବା ପରେ ଛିଦ୍ର ହୋଇଥିବା କାରଣ ହୋଇପାରେ ବୋଲି ଗବେଷକ କହୁଛନ୍ତି । ତେବେ ଓଜନ ସ୍ତର ଛିଦ୍ର ଦ୍ବାରା ପୃଥିବୀରେ ପ୍ରଭାବ ବହୁତ ମାତ୍ରା ପଡିବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରଦୂଷଣ ରୋକିବା ସହ 1985 ମସିହାରେ ମାଣ୍ଟ୍ରିୟଲ ବୁଝାମଣାକୁ ସମସ୍ତ ଦେଶ ଗ୍ରହଣ କରିବା ଉଚିତ ବୋଲି ବୈଜ୍ଞାନିକ କହିଛନ୍ତି । ପ୍ରଦୁଷଣ କରୁଥିବା ଶିଳ୍ପପ୍ରତିଷ୍ଠା ପ୍ରଦୁଷଣ ମାତ୍ର ହ୍ରାସ କରିବା ଉଚିତ ବୋଲି ମତ ଦେଇଛନ୍ତି ଗବେଷଣା କରୁଥିବା ବୈଜ୍ଞାନିକ ।
ଓଜନ ସ୍ତରରେ ଛିଦ୍ର ହେଲେ ଅତିବାଇଗଣି ରଶ୍ମୀ ଶରୀରରେ ପଡିଲେ ବିଭିନ୍ନ ପ୍ରକାରର ଚର୍ମ ରୋଗ ସହ ମାରାତ୍କମ କ୍ୟାନସର ହେବାର ବହୁ ସମ୍ଭାବନା ରହିଛି । ଏହା ସହ ମୋତିଆବିନ୍ଦୁ ଜନିତ ଚକ୍ଷୁ ରୋଗ ସମସ୍ୟା ମଧ୍ୟ ବଢିବା ସମ୍ଭାବନା ରହିଛି ।
ତେବେ ଗୋଟିଏ ପଟେ କରୋନା ପାଇଁ ସାରା ବିଶ୍ୱ ଗାଡି, ମଟର, ରେଳ, କଳକାରଖାନା ଆଦି ବନ୍ଦ ଥିବାବେଳେ ପୁଣି ପୃଥିବୀ ପୃଷ୍ଟକୁ ସୁରକ୍ଷା ଦେଉଥିବା ଓଜନ ସ୍ତରରେ ବଡ ଛିଦ୍ର ହେବା ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏବେ ପ୍ରଦୁଷଣ କମ କରିବା ଉପରେ ଗୁରୁତ୍ବ ନଦେଲେ ଆଗକୁ ବଡ ସମସ୍ୟା ସୃଷ୍ଟି କରିବା ଯଥେଷ୍ଟ ସମ୍ଭାବନା ରହିଛି ।
