ନୂଆଦିଲ୍ଲୀ: ଦିଲ୍ଲୀର ଆନନ୍ଦ ବିହାରରେ ଭୟାନକ ଦୃଶ୍ୟ, କୋରୋନା ଡର ପାଇଁ ଲକ ଡାଉନ ସତ୍ତ୍ୱେ ଘର ମୁହାଁ ହେଲେ ହଜାର ହଜାର ଶ୍ରମିକ ।ସନିବାର ଦିଲ୍ଲୀର ଆନନ୍ଦ ବିହାର ବସ ଷ୍ଟାଣ୍ଡରେ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରମିକ ନିଜ ଘରକୁ ଯିବାକୁ ଭିଡ ଜମାଇଥିଲେ। ଲକଡାଉନ କାରଣରୁ ରହିବାକୁ ଏବଂ ଖାଇବାକୁ ବ୍ୟବସ୍ଥା ହୋଇନପାରିବାରୁ ଲୋକେ ନିଜ ନିଜର ଗାଁ ଫେରି ଯିବାକୁ ବିବଶ ହୋଇ ପଡିଛନ୍ତି। ଦେଶର ଶ୍ରମିକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କ୍ରମାଗତ ଜରୁରୀ ପଦକ୍ଷେପ ଉଠାଉଛନ୍ତି।
ସେମାନଙ୍କ ପାଇଁ ଖାଦ୍ୟପେୟର ଯଥା ସମ୍ଭବ ବ୍ୟବସ୍ଥା କରାଯାଉଛି। ଏହା ପରେ ବି ଶ୍ରମିକମାନେ ନିଜ କର୍ମକ୍ଷେତ୍ରରେ ରହିବାକୁ ପ୍ରସ୍ତୁତ ନାହାନ୍ତି। ସମସ୍ତେ ନିଜ ଗାଁକୁ ଯିବାକୁ ଅଣ୍ଟା ଭିଡିଛନ୍ତି। ଏହି କାରଣରୁ ବଡ ସଂଖ୍ୟାରେ ଶ୍ରମିକ ସଡକକୁ ଓହ୍ଲାଇ ଆସିଛନ୍ତି। ବିଶେଷ କରି ଆନନ୍ଦ ବିହାର ବସ ଷ୍ଟାଣ୍ଡକୁ ହଜାର ହଜାର ଶ୍ରମିକଙ୍କ ଭିଡ ଜମିବାରୁ ସେଠାରେ ଉତ୍ତେଜନାପୂର୍ଣ୍ଣ ମାହୋଲ ଦେଖିବାକୁ ମିଳିଥିଲା। କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନର ଘୋଷଣା କରାଯାଇଛି।
ଲୋକଙ୍କୁ ଘରେ ରହିବାକୁ ଅପିଲ କରାଯାଉଛି। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଦିନ ମଜୁରିଆ ଓ ଗରିବଙ୍କ ସ୍ଥିତି ଦୟନୀୟ ହୋଇପଡିଛି। କାମ ଧନ୍ଦା ସହିତ ଦୋକାନ ବଜାର ସବୁ ବନ୍ଦ ରହିବାରୁ ସେମାନଙ୍କୁ ଦି ଓଳି ଖାଇବା ମିଳିବା ମୁସ୍କିଲ ହୋଇ ପଡିଛି। ଏମିତିରେ ସମସ୍ତେ ଏବେ ଘର ମୁହାଁ। ଦିଲ୍ଲୀ ସମେତ ସମଗ୍ର ଦେଶରେ ଶ୍ରମିକମାନେ ନିଜ ଗାଁକୁ ପଳାୟନ କରୁଥିବା ଦେଖିବାକୁ ମିଳିଛି ।
