
ନୂଆଦିଲ୍ଲୀ : ଗତ 101 ଦିନ ଧରି ଶାହିନବାଗରେ ସିଏଏ ବିରୋଧରେ ହେଉଥିବା ଧାରଣାକୁ ହଟାଇ ଦିଆଯାଇଛି। ଆଜି ଶାହିନବାଗରେ ବିପୁଳ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇ ଆନ୍ଦୋଳନକାରୀଙ୍କ ଟେଣ୍ଟ ହଟାଇ ଦିଆଯାଇଛି। ଏହା ସହ ନୋଏଡ଼ା-କାଳିନ୍ଦୀ କୁଞ୍ଜ ସଡ଼କ ମଧ୍ୟ ଖାଲି କରାଯାଇଛି।
ଦେଶରେ କାୟା ବିସ୍ତାର କରୁଥିବା କୋରୋନା ମୁକାବିଲା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସଂକ୍ରମଣ ଯେପରି ଅଧିକ ନବ୍ୟାପେ ସେଥିପାଇଁ ବହୁ ରାଜ୍ୟରେ ଲକଡାଉନ କରାଯାଇଛି। ଏପରିକି କୌଣସି ସ୍ତାନରେ ଭିଡ଼ ସୃଷ୍ଟି ନକରିବାକୁ ଓ ଅନାବଶ୍ୟକ ଭାବେ ଘରୁ ନବାହାରିବାକୁ ଲୋକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆଜି ଦିଲ୍ଲୀ ପୁଲିସ ଶାହିନବାଗରେ ଦାରା 144 ଲାଗୁ କରି ଆନ୍ଦୋଳନକାରୀଙ୍କୁ ଧାରଣା ସ୍ଥଳରୁ ଉଠାଇଛି। ଏହି ସମୟରେ ସେମାନଙ୍କର ଟେଣ୍ଟ ହଟାଇବା ସହ ଏହାକୁ ବିରୋଧ କରୁଥିବା 6 ଜଣ ମହିଳା ଓ 3 ଜଣ ପୁରୁଷଙ୍କୁ ଗିରଫ କରାଯାଇଛି। ତେବେ ପୋଲିସର କହିବା ଅନୁଯାୟୀ, ସେମାନେ ପ୍ରଥମେ ଶାନ୍ତିପୂର୍ଣ୍ଣ ଉପାୟରେ ଧାରଣାସ୍ଥଳୀ ଖାଲି କରିବାକୁ ଚାହୁଁଥିଲେ।
ଦିଲ୍ଲୀ ପୁଲିସର କହିବା ଅନୁଯାୟୀ, କୋରୋନା ସଂକ୍ରମଣକୁ ରୋକିବାକୁ ବହୁ ସହରରେ ଲକଡାଉନ ଘୋଷଣା କରାଯାଇଛି। ଦିଲ୍ଲୀ ମଧ୍ୟ ଲକଡାଉନ କରାଯାଇଛି। ଏଥିପାଇଁ ଆମେ ଶାହୀନବାଗରୁ ହଟିଯିବାକୁ ଆନ୍ଦୋଳନକାରୀଙ୍କୁ ଅପିଲ କରିଥିଲୁ। କାରଣ ଅଧିକ ଲୋକ ଏକାଠି ହେଲେ ଏହି ମହାମାରୀ ବ୍ୟାପିବାର ଅଧିକ ସମ୍ଭାବନା ରହିଛି। ତେଣୁ ଶାନ୍ତିପୂର୍ଣ୍ଣ ଉପାୟରେ ଧାରନାସ୍ଥଳୀ ଖାଲି କରିବାକୁ ଆମେ ଅପିଲ କରିଥିଲୁ। କିନ୍ତୁ ସେମାନେ ନମାନିବାରୁ ପୋଲିସକୁ ତାର କର୍ତ୍ତବ୍ୟ ପାଳନ କରିବାକୁ ପଡ଼ିଛି।
