ନୂଆଦିଲ୍ଲୀ : ପାଲଘରରେ 2 ଜଣ ସାଧୁଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଆଜି ମହାରାଷ୍ଟ୍ର ସରକାରଙ୍କୁ ଏକ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ମମାଲର ପରବର୍ତ୍ତୀ ଶୁଣାଣି 4 ସପ୍ତାହ ପରେ ହେବ ବୋଲି କୋର୍ଟ କହିଛନ୍ତି। ତେବେ ଏହି ମାମଲାରେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇ ତଦନ୍ତ ଦାୟିତ୍ଵ ରାଜ୍ୟ ସିଆଇଡି ଠାରୁ ପ୍ରତ୍ୟାହାର କରି CBIକୁ ହସ୍ତାନ୍ତର କରିବାକୁ ଆବେଦନରେ ଦାବି ହୋଇଛି । ବିଚାରପତି ଅଶୋକ ଭୂଷଣ ଏବଂ ସଞ୍ଜୀବ ଖନ୍ନାଙ୍କ ଖଣ୍ତପୀଠରେ ଏହି ମାମଲାର ଶୁଣାଣି କରାଯାଇଛି।
ତେବେ ବର୍ତ୍ତମାନ ତଦନ୍ତ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ଗତକାଲି ମହାରାଷ୍ଟ୍ର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଥିଲା ବେଳେ ଆଜି ସୁପ୍ରିମକୋର୍ଟ ମାମଲାରେ ରିପୋର୍ଟ ମାଗିଛନ୍ତି। ଏପ୍ରିଲ 16ରେ ମୁମ୍ବାଇରୁ ସୁରଟ ଅଭିମୁଖେ ଯାତ୍ରା କରୁଥିବା ଦୁଇଜଣ ସାଧୁଙ୍କୁ 200ରୁ ଅଧିକ ଲୋକ ସେମାନଙ୍କ କାରକୁ ଅଟକାଇ ପଥର ମାଡ଼ କରିବାରୁ ଦୁଇ ସାଧୁଙ୍କ ମୃତ୍ୟୁ ହୋଇଥିଲା। ଲକଡାଉନ ସମୟରେ ଏତେ ଲୋକ କିପରି ଏକଜୁଟ ହେଲେ ଏଥିପାଇଁ ଆବେଦନକାରୀ ପୋଲିସକୁ ଦାୟୀ କରିଛନ୍ତି।
