ଅର୍ଗସ ବ୍ୟୁରୋ : ମହାମାରୀ କୋରୋନା ଭୂତାଣୁ ପାଇଁ ସାରା ଦୁନିଆରେ ଫସିଥିବା ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ବନ୍ଦେ ଭାରତ ମିଶନ ଏବଂ ମିଶନ ସମୂଦ୍ର ସେତୁର ଗତି ତୀବ୍ର କରାଯାଇଛି। କୋରୋନା ମୁକାବିଲା ପାଇଁ ଲକଡାଉନ କଟକଣା ଯୋଗୁଁ ବିଦେଶରେ ଫସିଥିବା ଭାରତୀୟଙ୍କୁ ବିମାନ ଏଵଂ ଯୁଦ୍ଧ ପୋତ ଯୋଗେ ଅଣାଯାଉଛି। ଏଯାଏଁ 8ଟି ଫ୍ଲାଇଟ ଜରିଆରେ 1425 ଭାରତୀୟଙ୍କୁ ଅଣାଯାଇଛି। ସେହିପରି ଭାରତୀୟ ନୌସେନା ଏବଂ ଯୁଦ୍ଧପୋତ ଆଇଏନଏ ଜଳାଶ୍ଵ 698 ଭାରତୀୟଙ୍କୁ ନେଇ ମଳଦ୍ଵୀପର ରାଜଧାନୀ ମାଲେରୁ କେରଳର କୋଚୀ ଅଭିମୁଖେ ବାହାରିଛି।
ଗୁରୁବାର ପ୍ରଥମ ୨ଟି ବିମାନ ପରେ ଶୁକ୍ରବାର ୫ଟି ବିମାନ ଜରିଆରେ ଲୋକଙ୍କୁ ଅଣାଯାଇପାରିଛି । ଏପର୍ଯ୍ୟନ୍ତ ୟୁଏଇରୁ ୫ଟି ବିମାନ ଆସିଛି । ଏହା ବ୍ୟତୀତ ବାହାରିନ, ସିଂଗାପୁର ଓ ଢ଼ାକାରୁ ମଧ୍ୟ ଗୋଟିଏ ଲେଖାଏଁ ବିମାନ ଯୋଗେ ଭାରତୀୟମାନଙ୍କ ଘର ବାହୁଡ଼ା ହୋଇଛି । ଅନ୍ୟପକ୍ଷରେ ମାଳଦୀପରୁ ଭାରତୀୟଙ୍କୁ ଆଣିବା ପାଇଁ ଯୁଦ୍ଧ ଜାହାଜର ସହାୟତା ନିଆଯାଇଛି । ଆଗାମୀ ଦିନରେ ଭାରତୀୟ ଜଳସେନା ଓ ଆଇଏନ୍ଏସ୍ର ମଗର ସହାୟତାରେ ହଜାର ହଜାର ଭାରତୀୟ ଫେରିବେ ।
ମିଶନ ବନ୍ଦେ ଭାରତ ପ୍ରଥମ ଦିନରେ କୋଝିକୋଡ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୭୭ ଜଣ ଭାରତୀୟଙ୍କୁ ପହଞ୍ଚାଇଥିଲା । ଏମାନେ ଦୁବାଇରୁ ଆସିଥିଲେ । ସେହିଭଳି କୋଚିନ ବିମାନ ବନ୍ଦରରେ ଆବୁଧାବିରୁ ଆସିଥିବା ୧୮୧ ଜଣ ଓହ୍ଲାଇଥିଲେ । ଶୁକ୍ରବାର ବାହାରିନରୁ କୋଚିକୁ ବିମାନରେ ୧୮୨, ସିଂଗାପୁରରୁ ଦିଲ୍ଲୀ ବିମାନରେ ୨୩୪ ଜଣ ଓ ଢାକାରୁ ଶ୍ରୀନଗର ପାଇଁ ବିମାନରେ ୧୩୮ ଜଣ ଛାତ୍ର ଓ ଅନ୍ୟମାନେ ଆସିଛନ୍ତି । କେରଳ ଆସିଥିବା ୧୫୨ ଜଣ ଓ ଦୁବାଇରୁ ଚେନ୍ନାଇ ଆସିଥିବା ୨ଟି ବିମାନରେ ମୋଟ ୩୫୬ ଜଣ ଭାରତୀୟ ନାଗରିକ ଆସିଛନ୍ତି ।
