ନୂଆଦିଲ୍ଲୀ : ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 1000 ଛୁଇଁଲାଣି। ମୃତକଙ୍କ ସଂଖ୍ୟା 20 ଟପିଲାଣି। କୋରୋନା ମୁକାବିଲା ପାଇଁ ଦେଶରେ ଆସନ୍ତା ଅପ୍ରେଲ 14 ଯାଏଁ ଲକଡାଉନ ଘୋଷଣା କରାଯାଇଛି। ପିଲା ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ କୋରୋନା ବିରୁଧରେ ଲଢେଇ ଜାରି ରଖିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ସନ୍ତୋଷଜନକ ଖବର ମିଳିଛି। ଜଣେ ଭାରତୀୟ ମହିଳା ବୈଜ୍ଞାନିକ ମୀନଲ ଦଖାୱେ ଭୋସଲେ ମାତ୍ର 1200 ଟଙ୍କାର ଏକ ଶସ୍ତା କିଟ୍ ପ୍ରସ୍ତୁତ କରିଛନ୍ତି। ଯାହାକି ବିଦେଶ କିଟ୍ ତୁଳନାରେ ବହୁ ଶସ୍ତା। ଏହାଦ୍ଵାରା ସନ୍ଦିଗ୍ଧଙ୍କୁ ଖୁବ୍ ଶୀଘ୍ର ଚିହ୍ନଟ କରାଯାଇ ପାରିବ।
ବଜାରରେ ଏବେ ଯେଉଁ ଟେଷ୍ଟିଂ କିଟ୍ ମିଳୁଛି ତାହାର ଦାମ୍ 4 ହଜାର 5ଶହ ଟଙ୍କା। ମହିଳା ବୈଜ୍ଞାନିକ ମୀନଲ ଭୋସଲେ ଯେଉଁ କିଟ୍ ପ୍ରସ୍ତୁତ କରିଛନ୍ତି ତାହାର ଦାମ୍ 1200 ଟଙ୍କା। ସେ କହିଛନ୍ତି ଯେ, ଆମ କିଟ୍ କୋରୋନା ଭୂତାଣୁ ସଂକ୍ରମଣର ଯାଂଚ୍ ଅଢେଇ ଘଣ୍ଟା ମଧ୍ୟରେ କରି ପାରିବ। କିନ୍ତୁ ବିଦେଶୀ କିଟ୍ 6 ରୁ 7 ଘଣ୍ଟା ସମୟ ନେଉଛି।
ପୁଣେର ମାୟୋଲ୍ୟାବ ଡିସ୍କୋଭରୀର ପ୍ରତ୍ୟେକ କିଟରେ 100 ସାମ୍ପୁଲ ଯାଂଚ୍ ହୋଇ ପାରିବ। ଆସନ୍ତା ସୋମବାର ସୁଦ୍ଧା ଏହି ଟେଷ୍ଟିଂ କିଟ୍ ବଜାରରେ ଉପଲବ୍ଧ ହେବ। ଏକ ସପ୍ତାହ ମଧ୍ୟରେ ଏକ ଲକ୍ଷ କୋଭିଡ-19 ଟେଷ୍ଟ କିଟ୍ ପ୍ରସ୍ତୁତ ହେବ ଏବଂ ଆବଶ୍ୟକ ପଡ଼ିଲେ 2 ଲକ୍ଷ ଟେଷ୍ଟିଂ କିଟ୍ ପ୍ରସ୍ତୁତ ହେବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି।
