ଲଣ୍ଡନ୍: ବନ୍ଦ ରହିବନି ମାଛ-ମାଂସ ବଜାର । କୋରୋନା ସଂକ୍ରମଣରେ ମାଛମାଂସ ବଜାର ବନ୍ଦ ରହିବା ଅନୁଚିତ୍ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ କହିଛି । କରୋନାଭାଇରସ୍ ଉତ୍ପତ୍ତିରେ ଊହାନ୍ ଆମିଷ ବଜାରର ଉଲ୍ଲେଖନୀୟ ଭୂମିକା ରହିଛି ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ବିଶ୍ବବ୍ୟାପୀ ମାଛମାଂସ ବଜାରଗୁଡ଼ିକ ବନ୍ଦ କରିବା ଅନୁଚିତ ବୋଲି ଶୁକ୍ରବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।
ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଖାଦ୍ୟ ନିରାପତ୍ତା ଓ ପ୍ରାଣୀ ରୋଗ ବିଶେଷଜ୍ଞ ପିଟର୍ ବେନ୍ ଏମ୍ବାରେକ୍ କହିଛନ୍ତି, ଯଦିବା ମାଛମାଂସ ବଜାର କେବେ କେମିତି ମଣିଷମାନଙ୍କ ମଧ୍ୟରେ ମହାମାରୀ ସୃଷ୍ଟି କରୁଛି ତଥାପି ବିଶ୍ବବ୍ୟାପୀ ନିୟୁତ ନିୟୁତ ଲୋକଙ୍କୁ ଏହା ଖାଦ୍ୟ ଓ ଜୀବିକା ଯୋଗାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି। ତେଣୁ, ବନ୍ଦ କରିବା ଅପେକ୍ଷା ସେଗୁଡ଼ିକର ଆନୁସଙ୍ଗିକ ଉନ୍ନତି କରିବାକୁ କର୍ତ୍ତୃପକ୍ଷମାନେ ଧ୍ୟାନ ଦେବା ଉଚିତ।
ସେ ପୁଣି କହିଛନ୍ତି ଯେ ପ୍ରାଣୀ ଶରୀରରୁ ମାନବ ଶରୀରକୁ ରୋଗ ସଂକ୍ରମଣ ବିପଦ ହ୍ରାସ କରିବାକୁ ହେଲେ ମାଛମାଂସ ବଜାରଗୁଡ଼ିକରେ ମାତ୍ରାଧିକ ଜନଗହଳି ହେବା ଅନୁଚିତ। ଏହାଛଡ଼ା ଏହି ବଜାରଗୁଡ଼ିକରେ ପରିଷ୍କାର ପରିଚ୍ଛନ୍ନତା ଓ ନିରାପତ୍ତା ମାନକ ବ୍ୟବସ୍ଥା ଲାଗୁ ହେବା ଆବଶ୍ୟକ। ଏଠାରେ ଥିବା ଜୀବନ୍ତ ପ୍ରାଣୀମାନେ ଯେମିତି ମଣିଷ ସଂସ୍ପର୍ଶରେ ନ ଆସନ୍ତି, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
ଏହାଛଡ଼ା, ବେନ୍ ଏମ୍ବାର୍କ କହିଛନ୍ତି ଯେ ଚୀନ୍ରେ ପ୍ରଥମ କେତେଜଣ ବ୍ୟକ୍ତିଙ୍କ ଠାରେ କରୋନାଭାଇରସ୍ ସଂକ୍ରମଣ କରାଇବାରେ ଊହାନ୍ ଆମିଷ ବଜାରର ଭୂମିକା ଅଛି କି, ନାହିଁ ତାହା ତଥାପି ଅସ୍ପଷ୍ଟ ରହିଛି।
