
ନୂଆଦିଲ୍ଲୀ : ପଦ୍ମ ବିଭୂଷଣ ସମ୍ମାନିତ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଏକା ସାଙ୍ଗରେ ଜଣେ ଚିତ୍ରକାର, ମୂର୍ତ୍ତିକାର, ଲେଖକ ଏବଂ ବାସ୍ତୁକାର ସତୀଶ ଗୁଜରାଲଙ୍କ 94 ବର୍ଷରେ ପରଲୋକ ଘଟିଛି। ଭାରତ ସରକାର ତାଙ୍କୁ କଳା କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ 1999ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।
1925ରେ ଲାହୋରରେ ଜନ୍ମଗ୍ରହଣ କରିଥିବା ଗୁଜରାଲ ଦେଶ ବିଭାଜନର ଭୟାବହତା ଦେଖିଥିଲେ। ଏହା ପରେ ସେ ଶିମଲା ଯାଇଥିଲେ। ସେଠାରେ ସେ ନିଜକୁ ଚିତ୍ରକଳା ମଧ୍ୟରେ ବିଲୀନ କରି ଦେଇଥିଲେ। ତେବେ ସତୀଶଙ୍କୁ ତାଙ୍କର ଅନନ୍ୟ କଳା ପାଇଁ ତିନି ଥର ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଦୁଇଥର ଚିତ୍ରକଳା ପାଇଁ ଏବଂ ଥରେ ମୂର୍ତ୍ତିକଳା ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।
ସତୀଶଙ୍କ ବିବାହ କିରଣ ଗୁଜରାଲଙ୍କ ସହ ହୋଇଥିଲା। ତାଙ୍କ ପୁଅ ଜଣେ ପ୍ରସିଦ୍ଧ ବାସ୍ତୁକାର। ତାଙ୍କର ବଡ଼ ଝିଅ ଅଳ୍ପନା ଜ୍ଵେଲାରୀ ଡିଜାଇନର ଏବଂ ସାନ ପୁଅ ଇଣ୍ଟେରିଅର ଡିଜାଇନର। ସତୀଶ ବହୁ ପୁରସ୍କାରର ଅଧିକାରୀ ଥିଲେ। ତାଙ୍କୁ ମେକ୍ସିକୋର ଲିୟୋ ନାର୍ଡୋ ଦ ବିନ୍ସ, ବେଲଜିଅମର ରାଜାଙ୍କ ଆର୍ଡର ଅଫ କ୍ରାଉନ ପୁରସ୍କାର ମିଳିଥିଲା। ଇତିହାସ, ଲୋକକଥା, ପୁରାଣ, ପ୍ରାଚୀନ ଭାରତୀୟ ସଂସ୍କୃତି, ଏବଂ ବିବିଧ ଧର୍ମ ପ୍ରସଙ୍ଗ ସେ ତାଙ୍କ ଚିତ୍ରକଳା ମାଧ୍ୟମରେ ସ୍ଥାନିତ କରିଛନ୍ତି।
