ନୂଆଦିଲ୍ଲୀ : ସାରା ଦେଶରେ କାୟା ବିସ୍ତାର କରୁଛି କୋରୋନା। ଏହି ମଧ୍ୟରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକଡାଉନ ସମୟରେ ଦିନ ମଜୁରିଆଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ସେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ 11 ଲକ୍ଷରୁ ଅଧିକ ଶ୍ରମିକ, କୁଲି, ଇ ରିକ୍ସ ଚାଳକ ଓ ଦିନ ମଜୁରିଆଙ୍କ ଆକାଉଣ୍ଟକୁ 1000 ଟଙ୍କା ଲେଖାଏଁ ପଠାଇଛନ୍ତି। ତେବେ ଏହାପରେ ପର୍ଯ୍ୟାୟ କ୍ରମେ ଅନ୍ୟ 20 ଲକ୍ଷ ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଠେଲା ଗାଡ଼ିରେ ବେପାର କରୁଥିବା, ରାସ୍ତାରେ ବୁଲୁବୁଲି ବିକ୍ରି କରୁଥିବା, କୁଲି, ଦିନ ମଜୁରିଆ, ରିକ୍ସା, ଇ-ରିକ୍ସା ଚଲାଉଥିବା ଲୋକମାନଙ୍କୁ ଏକ ସର୍ଭେ କରାଯାଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହ ପ୍ରଶାସନକୁ ଆବଶ୍ୟକୀୟ ପାଣ୍ଠି ଦିଆଯାଇଛି। ଲକଡାଉନ କାରଣରୁ ଏହି ବର୍ଗର ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନେ କିଭଳି ଗୁଜୁରାଣ ମେଣ୍ଟାଇବେ ସେନେଇ ସରକାର ଚିନ୍ତିତ।
ପୂର୍ବରୁ ଅନେକ ବିପତ୍ତିକାଳୀନ ସ୍ଥିତିରେ ଲୋକଙ୍କ ନିକଟରେ କୌଣସି ସରକାରୀ ଅର୍ଥ ରାଶି ପହଁଚିବାକୁ ବହୁ ବିଳମ୍ବ ହେଉଥିଲା। ଅନେକ ସମୟରେ ସରକାରୀ ଯୋଜନା ବାଟ ମାରଣ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ତେବେ ଆଜି ମହାମାରୀ କୋରୋନା ଭୂତାଣୁ ସହ ସାରା ଦେଶ ଲଢେଇ କରୁଥିବା ବେଳେ ମୋଦି ସରକାରଙ୍କ ଜନଧନ ଯୋଜନା କାରଣରୁ ଗରୀବ ଲୋକଙ୍କ ନିକଟରେ ଖୁବ୍ ସହଜରେ ଆର୍ଥିକ ସହାୟତା ପହଁଚି ପାରୁଛି।
