ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ
ଲକଡାଉନ ସମୟରେ ବରଦାନ ପାଲଟିଲା ଅପମାନ କରାଯାଉଥିବା ମୋଦୀଙ୍କ ଯୋଜନା: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: କରୋନା ମହାମାରୀର ଏହି ଘଡି ସନ୍ଧିରେ ଗରିବଙ୍କ ପାଇଁ ବରଦାନ ହୋଇ ପାଲଟିଛି ଅପମାନ କରାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନା। ମୋଦୀ ସରକାରଙ୍କ ଅନେକ ଦୂରଗାମୀ ନୀତି ଏବଂ ଯୋଜନା ଲକଡାଉନ ସମୟରେ ଲୋକଙ୍କ ପାଇଁ ବର୍ତ୍ତମାନ ବରଦାନ ହୋଇଛି ବୋଲି ନିଜ ଟ୍ବିଟ ଯୋଗେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଯେଉଁ ଜନଧନ ଯୋଜନାର ପରିହାସ କରାଯାଉଥିବା ଆଜି ସେ 20 କୋଟି ମହିଳାଙ୍କ ସାହାରା ହୋଇଛି। ଯେଉଁ ଡିଜିଟାଲ ଇଣ୍ଡିଆକୁ ଫ୍ଲପ ସ୍କିମ କୁହାଯାଉଥିଲା ସେ ଆଜି ଟଙ୍କା ନେଣଦେଣ, ରୋଜଗାର, ଶିକ୍ଷା, ଡିଜିଟାଲ ପେମେଣ୍ଟ ଏବଂ ଆବଶ୍ୟକୀୟ ସେବା ପାଇଁ ସହାୟ ପାଲଟିଛି। ସେହିପରି ଯେଉଁ ସ୍ଵଚ୍ଛତା ଅଭିଯାନକୁ ସମଗ୍ର ଦେଶରେ ଉପହାସ କରାଗଲା, ସେହି ଅଭିଯାନ ଯୋଗୁ ଆଜି ଘରେ ଘରେ ସୌଚାଳୟର ନିର୍ମାଣ କରାଯାଇଛି। ଯିଏ ସଂକ୍ରମଣରୁ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖି ପାରୁଛି। ଏହା ବ୍ୟତୀତ ଯେଉଁ ଡିବିଟି ଉପରେ ପ୍ରଶ୍ନ କରୁଥିଲେ, ଆଜି ସେହି ଡିବିଟି ଜରିଆରେ 3 କୋଟି ବୃଦ୍ଧ, ଦିବ୍ୟାଙ୍ଗ ଓ ବିଧବାଙ୍କ ସହ କୋଟି କୋଟି ଭାରତୀୟଙ୍କ ବ୍ଯାଙ୍କ ଖାତାରେ ସିଧାସଳଖ ଆର୍ଥିକ ସହାୟତା ଦିଆଯାଉଛି। ଏହିପରି ଉଜ୍ୱଳା ଯୋଜନାକୁ ବ୍ୟର୍ଥ କୁହାଯାଇ ତା ବିରୋଧରେ ଅପପ୍ରଚାର କରାଯାଉଥିଲା, ଆଜି ସେହି ଯୋଜନା ଏହି ସଙ୍କଟ ସମୟରେ 8 କୋଟି ଗରିବ ମହିଳାଙ୍କୁ 3 ଟି ଗ୍ଯାସ ସିଲିଣ୍ଡର ମାଗଣାରେ ଯୋଗେଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ପିଏମ କିଷାନ ସମ୍ମାନ ନିଧି ଯୋଜନାକୁ ବେକାର କୁହାଯାଉଥିଲା। ଆଜି ଏହି ଯୋଜନା 8.7 କୋଟି ଚାଷିଙ୍କୁ 2000 ଟଙ୍କାର ଆର୍ଥିକ ସହାୟତା ଦେଇ ସେମାନଙ୍କ ମନୋବଳ ବଢେଇଛି। ସେହିପରି କେନ୍ଦ୍ରମନ୍ତ୍ରୀ କହିଲେ ଯୋଗ ଏବଂ ଭାରତୀୟ ସଂକୃତିକୁ ତିରସ୍କାର କରାଯାଉଥିଲା, ଆଜି ଯୋଗର ମହାନ୍ତାକୁ ଦୁନିଆ ସ୍ୱୀକାର କରିଥିବା ବେଳେ ନମସ୍କାରକୁ ଆପଣେଇଛି ବିଶ୍ଵ।
Download Argus News App
