ଅର୍ଗସ ବ୍ୟୁରୋ : ଇଟାଲୀର ୧୦୩ ବର୍ଷର ଜଣେ ମହିଳା କୋଭିଡ୍ -୧୯ କବଳରୁ ମୁକୁଳିଯିବା ପରେ ମିଡ଼ିଆ ଆଗରେ ବଖାଣିଛନ୍ତି ନିଜର ଅନୁଭୁତି । ତାଙ୍କର ସେହି ଅନୁଭୂତି ଏବେ କରୋନା ଭୟରେ ନିରାଶ ହୋଇ ପଡ଼ିଥିବା ପୃଥିବୀବାସୀଙ୍କ ପାଇଁ ସାଜିଛି ଆଶା ଆଉ ଆଶ୍ୱାସନାର ମହୌଷଧି । କରୋନା ପ୍ରତି ଭୟ ବଦଳରେ ଏବେ ଅନେକଙ୍କ ମନରେ ଜାଗି ଉଠିଛି ସାହସ ଆଉ ଆତ୍ମବିଶ୍ୱାସ । ଚୀନ ପରେ ଇଟାଲୀ ଥିଲା ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ଯିଏ କରୋନା ଦ୍ୱାରା ସବୁଠୁଁ ବେଶି ଏବଂ ଅତି ଶୀଘ୍ର କ୍ଷତିଗ୍ରସ୍ତ ହୋଇଥିଲା । ଏବେ ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଯଦିଓ ଆମେରିକା ସୁବଠୁଁ ଆଗରେ ରହିଛି ମାତ୍ର ସର୍ବାଧିକ ମୃତ୍ୟୁ ଘଟିଛି ଇଟାଲୀରେ । ସୂଚନା ଅନୁସାରେ ଇଟାଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮ ହଜାରରୁ ଉର୍ଦ୍ଧ୍ୱ ।
ଯଦିଓ ସବୁ ବୟସର ଲୋକମାନେ କରୋନା ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି ମାତ୍ର ୬୦ ବର୍ଷରୁ ଅଧିକ ତଥା ବୟସ୍କ ଲୋକମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଅଧିକ ବିପଦଜ୍ଜନକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇ ସାରିଛନ୍ତି । ତେବେ ୟୂରୋପୀୟ ଦେଶ ଫ୍ରାନ୍ସ ଏବଂ ଇଟାଲୀରେ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ ଯେଉଁଠି ୧୦୦ ବର୍ଷ ପର୍ଯ୍ୟନ୍ତ ବଂଚିପାରିବା ସାଧାରଣ କଥା । ସେମାନଙ୍କୁ ସେଠାରେ ସୁପର ଓଲ୍ଡ ବୋଲି ଆଖ୍ୟା ଦିଆ ଯାଇଥାଏ । ସେହିମାନେ ହିଁ ଏବେ କରୋନା ଦ୍ୱାରା ଅଧିକ ଭାବରେ ସଂକ୍ରମିତ ହୋଇଛନ୍ତି । ଅନେକ ମୃତ୍ୟୁବରଣ କରି ସାରିଥିବା ବେଳେ ଆହୁରି ଅନେକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ମାତ୍ର ଅଳ୍ପ କିଛିଦିନର ଚିକିତ୍ସା ଭିତରେ କରୋନାର ମୃତ୍ୟୁ ପଂଝା ଭିତରୁ ନିଜକୁ ମୁକୁଳେଇ ପାରିଛନ୍ତି ଇଟାଲୀର ୧୦୩ ବର୍ଷ ବୟସ୍କ ସୁପର ଓଲ୍ଡ ଲେଡ଼ି ଅଦା ଜାନୁସୋ । ସେ ଯେତେବେଳେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବାର ଜଣା ପଡ଼ିଥିଲା ତାଙ୍କୁ ଡାକ୍ତରଖାନାକୁ ଅଣା ଯାଇଥିଲା । ଅନେକ ସମୟରେ ସେ ଅଚେତ ରହୁଥିଲେ ଏବଂ କିଛି ଖାଉନଥିଲେ । ଅଧିକ ବୟସ ହୋଇଥିବାରୁ ସେ ବଂଚିବେକି ନାହିଁ ସନ୍ଦେହରେ ଥିଲେ ଡାକ୍ତରମାନେ । ମାତ୍ର କିଛି ଦିନର ଚିକିତ୍ସା ପରେ ସେ ଉଠି ବସିଲେ ଏବଂ ଚଲାବୁଲା କଲେ । ଏବେ ଭଲ ହୋଇ ସେ ଫେରିଛନ୍ତି ନିଜ ବାସସ୍ଥାନକୁ । ଏକ ଅନ୍ତର୍ଜାତୀୟ ନିୟୂଜ ଏଜେନ୍ସିକୁ ଭିଡ଼ିଓ କନଫେରନ୍ସିଂ ଜରିଆରେ ସାକ୍ଷାତକାର ଦେଇ କହିଛନ୍ତି- ‘ଏବେ ମୁଁ ସମ୍ପୂର୍ଣ୍ଣ ଭଲ ଅଛି । ଟିଭି ଦେଖୁଛି ଏବଂ ଖବର କାଗଜ ପଢ଼ୁଛି । ମୋର ସାହସ ଆଉ ବିଶ୍ୱାସ ହିଁ ମତେ କରୋନାରୁ ବଂଚେଇଛି ।’ ଆସନ୍ତା ଅଗଷ୍ଟ ମାସରେ ୧୦୪ ବର୍ଷରେ ପଦାର୍ପଣ କରିବାକୁ ଥିବା ଅଦା ଜାନୁସୋ ଏବେ ସାଜିଛନ୍ତି କରୋନା ଲଢ଼େଇର ସବୁଠୁ ବୟସ୍କା ଯୋଦ୍ଧା ଏବଂ ଅନ୍ୟମାନଙ୍କ ପାଇଁ ଅସରନ୍ତି ପ୍ରେରଣାର ଉତ୍ସ ।
