କଂଗ୍ରେସ ଭୁଲିଯାଉଛି ଯେ, ମହାମହିମଙ୍କ ଗାରିମାମୟ ପଦବୀ କୌଣସି ଦଳର ପୈତୃକ ସମ୍ପତ୍ତି ନୁହେଁ। ଏହା ଏକ ସାମ୍ବିଧାନିକ ଗାରିମାର ଅଂଶ। ହେଲେ ଦେଶରେ ହୀନ ରାଜନୀତି ଚଳାଇଥିବା କଂଗ୍ରେସ ଏ କଥାକୁ ବାରମ୍ବାର ଭୁଲି ଦେଶର ରାଷ୍ଟ୍ରପତିଙ୍କୁ ଅପମାନିତ କରିବାରେ ଲାଗିଛି। ଯାହାକୁ ଦେଖିବା ପରେ ବିଜେପି ପକ୍ଷରୁ କ୍ଷମା ପ୍ରାର୍ଥନା ପାଇଁ ଦାବି କରାଯାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିକଟରେ ଦୁଇଦିନିଆ ଗସ୍ତରେ ଗୁଜୁରାଟ ଯାଇଥିଲେ। ସେଠାରେ ସାବରମତି ଆଶ୍ରମରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ଗୁଜୁରାଟରେ ଦେଶର ୭୬ ପ୍ରତିଶତ ଲୁଣ ଉତ୍ପାଦିତ ହେଉଛି। ତେଣୁ ଆମେ କହିପାରିବା ଯେ, ଦେଶବାସୀ ଗୁଜୁରାଟର ଲୁଣ ଖାଉଛନ୍ତି।
ରାଷ୍ଟ୍ରପତିଙ୍କ ଏହି ଲୁଣ ବୟାନ ପରେ କଂଗ୍ରେସ ନେତା ଉଦିତ ରାଜ ବିବାଦୀୟ ଟୁଇଟ କରିଛନ୍ତି। ଯାହାକୁ ବିଜେପି ପକ୍ଷରୁ ଘୋର ନିନ୍ଦା କରାଯାଇଛି।
ଉଦିତ୍ ରାଜ ନିଜ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ଦ୍ରୌପଦୀ ମୁର୍ମୁଙ୍କ ଭଳି ରାଷ୍ଟ୍ରପତି କୌଣସି ବି ଦେଶକୁ ନ ମିଳୁ । ଚାମଚାଗିରିର ମଧ୍ୟ ସୀମା ଥାଏ । ଦେଶର ୭୦ ପ୍ରତିଶତ ଲୋକ ଗୁଜରାଟର ଲୁଣ ଖାଉଛନ୍ତି ବୋଲି ରାଷ୍ଟ୍ରପତି କହୁଛନ୍ତି । ହେଲେ ସେ ନିଜେ ଲୁଣ ଖାଇ ଜୀବନ ଜିଇଲେ ଜାଣିପାରିବେ।
ଉଦିତଙ୍କ ଏହି ସାଙ୍ଘାତିକ ଟୁଇଟ ପରେ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହା କଂଗ୍ରେସର ଆଦିବାସୀ ବିରୋଧୀ ମନୋଭାବକୁ ପ୍ରଦର୍ଶିତ କରୁଛି। ଯାହା ଦୁର୍ଭାଗ୍ୟପୂର୍ଣ୍ଣ। ଉଦିତ୍ ରାଜ ଯେଉଁଭଳି ଶବ୍ଦର ବ୍ୟବହାର କରିଛନ୍ତି, ତାହା ତାଙ୍କର ଆଦିବାସୀ ବିରୋଧୀ ମନୋଭାବକୁ ଦର୍ଶାଉଛି । ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିଲେ ବୋଲି କହିଛନ୍ତି ସମ୍ବିତ୍।
ବିବାଦ ଉଗ୍ର ହେବାରୁ ତାଙ୍କର ଏହି ବୟାନକୁ କଂଗ୍ରେସ ପାର୍ଟିର ବୟାନ ନୁହେଁ ବୋଲି ସଫେଇ ରଖିଛନ୍ତି ଉଦିତ୍। ଲେଖିଛନ୍ତି, ଏହା ମୋର ବ୍ୟକ୍ତିଗତ ବିବୃତ୍ତି, କଂଗ୍ରେସ ଦଳର ନୁହେଁ।