ଗଲୱାନ ଘାଟିରେ ଚୀନ ସେନାର ବର୍ବରତା ପରେ ଏବେ ସାରା ଭାରତରେ ଚୀନ ବିରୋଧରେ ଜଳୁଛି ପ୍ରତିଶୋଧର ବହ୍ନି । ଚୀନ ସାମଗ୍ରୀ ବର୍ଜନ ନାରାରେ କମ୍ପୁଛି ଦେଶ । ଏପରିକି ବିଭିନ୍ନ ସୋସିଆଲ ଆପ୍ସକୁ ମଧ୍ୟ ବୟକଟ୍ ପାଇଁ ଚାଲିଛି କ୍ୟାମ୍ପେନ । ଦ୍ରୁତ ଲୋକପ୍ରିୟତା ହାସଲ କରିଥିବା ଚାଇନା ଆପ୍ ‘ଟିକ୍ଟକ୍’ ବି ଅନଇନଷ୍ଟଲ ପାଇଁ ଅପିଲ କରାଯାଉଛି ।
ତେବେ ଏହାର ଏକ ବିକଳ୍ପର ଆବଶ୍ୟକତା ଥିବା ଦେଖି ଆମ ଦେଶର ଦୁଇ ଯୁବ ଇଞ୍ଜିନିୟର ପ୍ରସ୍ତୁତ କରିଛନ୍ତି ‘ଚିଙ୍ଗାରୀ’ । ସବୁଠୁ ବଡ଼ କଥା ହେଉଛି ଏହି ‘ଚିଙ୍ଗାରୀ’ ଆପ୍କୁ ପ୍ରସ୍ତୁତ କରିଥିବା ଦୁଇ ଯୁବ ଇଂଜିନିୟରଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ । ବେଙ୍ଗାଲୁରୁରେ ଆଇଟି କମ୍ପାନୀରେ କାର୍ଯ୍ୟରତ ଦୁଇ ଯୁବ ଇଂଜିନିୟର ସିଦ୍ଧାର୍ଥ ଗୌତମ ଏବଂ ଓଡ଼ିଆ ପୁଅ କଟକ ଜିଲ୍ଲାର କଣ୍ଟାପଡା ବ୍ଲକ ଅଡଶପୁର ଗ୍ରାମର ବିନୋଦ ନାୟକଙ୍କ ପୁଅ ବିଶ୍ୱାତ୍ମା ନାୟକ ଏହାକୁ ପ୍ରସ୍ତୁତ କରିଛନ୍ତି । ସେ ଭୁବନେଶ୍ୱର ଆଇଟିଆର କଲେଜର ପୂର୍ବତନ ଛାତ୍ର ।