ମୁମ୍ବାଇ: କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଜୁଲାଇ 31 ଯାଏଁ ଲକ୍ଡାଉନ୍ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର । କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏଭଳି ନିଷ୍ପତ୍ତି ନେଇଛନ୍ତି ଉଦ୍ଧବ ଠାକରେଙ୍କ ସରକାର । ରବିବାର ଦିନ ଠାକେର କହିଛନ୍ତି ଯେ, ଜୁନ୍ ୩୦ ପରେ ମଧ୍ୟ ରାଜ୍ୟରେ ଲକଡାଉନ୍ ଜାରି ରହିବ । ପ୍ରତିବନ୍ଧକକୁ କୋହଳ କରିବାକୁ ମନା କରିବା ସହ ଠାକେର କହିଛନ୍ତି ଯେ, ରାଜ୍ୟରେ ଏବେ ବି କରୋନା ମହାମାରୀର ବିପଦ ରହିଛି । ପରେ ଠାକେର ଟ୍ୱିଟ କରି କହିଛନ୍ତି ଯେ, ‘ଜୁନ୍ ୩୦ ପରେ ଲକ୍ ଡାଉନ୍ ହଟିବ କି ? ଯାହାର ସ୍ପଷ୍ଟ ଉତ୍ତର ହେଉଛି ନା ।’ ଏହାସହ ଅର୍ଥ ବ୍ୟବସ୍ଥାକୁ ପୁନଃ ଫେରାଇ ଆଣିବା ପାଇଁ ଧୀରେ ଧୀରେ ଅନଲକ୍ ପ୍ରକ୍ରିୟା ଲାଗୁ କରାଯିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଲକ୍ଡାଉନ୍ ପାଇଁ ଜାରି କରାଯାଇଥିବା ଗାଇଡଲାଇନ୍କୁ ‘ମିଶନ୍ ବିଗିନ୍ ଏଗେନ୍’ ନାଁରେ ନାମିତ କରାଯାଇଛି । ଏହି ସମୟରେ ମୁମ୍ବାଇ ସମେତ ଅନ୍ୟ ସ୍ଥାନରେ ଅନାବଶ୍ୟକ ଯାତାୟତ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି ।
ମହାରାଷ୍ଟ୍ର ବ୍ୟତୀତ ପଶ୍ଚିମବଙ୍ଗରେ ମଧ୍ୟ ଜୁଲାଇ 31 ଯାଏଁ ଲକ୍ଡାଉନ୍ ଅବଧି ବୃଦ୍ଧି ହୋଇଛି । ଏହାସହ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଆଂଶିକ ଭାବେ ଲକ୍ଡାଉନ୍ ବୃଦ୍ଧି ହୋଇଥିବା ସୂଚନା ମିଳିଛି । ତେବେ ଆସନ୍ତାକାଲି କେନ୍ଦ୍ର ସରକାର ଲାଗୁ କରିଥିବା ଅନଲକ୍-1ର ଅବଧି ସରିବାକୁ ଯାଉଛି । ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ଆଗକୁ ଅନଲକ୍-2 ହେବ ନାଁ ପୁଣି ଥରେ ଲକ୍ଡାଉନ୍ ଫେରିବ ସେନେଇ ଜଣାପଡ଼ିନାହିଁ ।