ସେପଟେ ମୁମ୍ବାଇରେ ବର୍ଷା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ 2 ଦିନ ପାଇଁ କମଳା ଆଲର୍ଟ ଜାରି କରି ମୁମ୍ବାଇ ଏବଂ ଏହାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ ଶୁକ୍ରବାର ଦିନ ରତ୍ନଗିରି ଜିଲ୍ଲା ଏବଂ ଶନିବାର ଦିନ ରାଇଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ମାସରେ ଆସିଥିବା ଘୂର୍ଣ୍ଣିବଳୟ ନିସର୍ଗ କାରଣରୁ ରତ୍ନାଗିରି ଜିଲ୍ଲାରେ ବହୁ କ୍ଷୟକ୍ଷତି ହୋଇଥିଲା। ମୁମ୍ବାଇର କେତେକ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ପାଣିପାଗ ବିଭାଗ ଅନୁଯାୟୀ, 24 ଘଣ୍ଟା ମଧ୍ୟରେ 64.5 ମିଲିମିଟରରୁ 115.5 ମିଲିମିଟର ମଧ୍ୟରେ ପ୍ରବଳ ବର୍ଷା ଏବଂ 115.5 ମିଲିମିଟରରୁ 204.5 ମିଲିମିଟର ମଧ୍ୟରେ ଅତି ପ୍ରବଳ ବର୍ଷା ର ଅନୁମାନ କରାଯାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। ମୁମ୍ବାଇ ପୋଲିସ ମଧ୍ୟ ଲୋକଙ୍କୁ ଘରୁ ବାହାରକୁ ନ ଯିବାକୁ ଅନୁରୋଧ କରିଛି।
ପ୍ରବଳ ବର୍ଷା ହେତୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ଯାତ୍ରୀ ବିମାନ ଅବତରଣ କରିବାକୁ ଦିଆଯାଇନଥିଲା ଏବଂ ଅନ୍ୟ ସହରକୁ ପଠାଯାଇଥିଲା। ରାଜସ୍ଥାନର କିଶାନଗଡରୁ ଇନ୍ଦୋରକୁ ଆସୁଥିବା ଷ୍ଟାର ଏୟାରର ବିମାନ ପ୍ରବଳ ବର୍ଷା ହେତୁ ଅହମ୍ମଦାବାଦକୁ ପଠାଯାଇଥିଲା। ଏଥି ସହିତ ଦିଲ୍ଲୀରୁ ଇନ୍ଦୋର ଅଭିମୁଖେ ଆସୁଥିବା ଇଣ୍ଡିଗୋ ବିମାନର ଖରାପ ପାଗ ଯୋଗୁଁ ଭୋପାଳକୁ ପଠାଯାଇଥିଲା।
ଅନ୍ୟପଟେ ଦିଲ୍ଲୀରେ ତାପମାତ୍ରା 42 ଡିଗ୍ରୀ ରହିଛି। ଦିଲ୍ଲୀର ସଫଦରଜଙ୍ଗ ଅବଜରଭେଟୋରୀ ସର୍ବାଧିକ ତାପମାତ୍ରା 39.7 ଡିଗ୍ରୀ ସେଲସିୟସ ରେକର୍ଡ କରିଛି, ଯାହା ସ୍ୱାଭାବିକଠାରୁ 3 ଡିଗ୍ରୀ ଅଧିକ। ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା 39 ଡିଗ୍ରୀରୁ 42 ଡିଗ୍ରୀ ସେଲସିୟସ ମଧ୍ୟରେ ରେକର୍ଡ କରାଯାଇଥିଲା | ଆର୍ଦ୍ରତା ସ୍ତର 55 ରୁ 80 ପ୍ରତିଶତ ମଧ୍ୟରେ ଥିଲା | ଜୁନ୍ 25 ରେ ଜାତୀୟ ରାଜଧାନୀରେ ମେସୁମୀ ବର୍ଷା ପରଠାରୁ ଆଉ ବର୍ଷା ହୋଇନାହିଁ।
ଆଗାମୀ 36 ଘଣ୍ଟା ମଧ୍ୟରେ ପଞ୍ଜାବ, ହରିୟାଣା, ଦିଲ୍ଲୀ, ପଶ୍ଚିମ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ଲଦାଖ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଗିଲଗିଟ ବାଲ୍ଟିସ୍ତାନ ରେ ବର୍ଷା ହୋଇପାରେ। ତେବେ ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶ ଏବଂ ଏହାର ପଶ୍ଚିମ ଉତ୍ତରପ୍ରଦେଶର କିଛି ଅଂଶ ଏବଂ ପୂର୍ବ ରାଜସ୍ଥାନର କିଛି ଅଂଶରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି।