ଗତ ଜାନୁଆରି ମାସରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ୨୬ଟି ପ୍ରସଙ୍ଗରେ ବିଚାର କରିବାକୁ ନିବେଦନ କରାଯାଇଥିଲା। ଅପରପକ୍ଷେ ଛତିଶଗଡ଼ ପକ୍ଷରୁ ମଧ୍ୟ ୧୩ଟି ପ୍ରସଙ୍ଗ ନେଇ ଟ୍ରିବ୍ୟୁନାଲର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଆଲୋଚନା କରି ପ୍ରସଙ୍ଗ ଚୂଡାନ୍ତ କରିବାକୁ ଟ୍ରିବୁନାଲ୍ କହିଥିଲେ। ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ଅତିରିକ୍ତ ଦସ୍ତାବିଜ ଦାଖଲ କରାଯାଇଥିବା ବେଳେ ଛତିଶଗଡ଼ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି), କେନ୍ଦ୍ରୀୟ ଭୂତଳ ଜଳ ଆୟୋଗ (ସିଜିଡବ୍ଲ୍ୟୁବି) ଓ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ଠାରୁ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଟ୍ରିବୁନାଲରେ ଆବେଦନ କରାଯାଇଛି।
ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା ୧୨ଥର ଶୁଣାଣି କରିଥିଲେ ସୁଦ୍ଧା କୌଣସି ଅନ୍ତରୀଣ ଆଦେଶ ଜାରି କରାଯାଇନାହିଁ। କିମ୍ବା ମୂଳ ମାମଲାର ଶୁଣାଣି ହୋଇନାହିଁ। ଗତବର୍ଷ ମାର୍ଚ୍ଚରୁ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ ରାୟକୁ ସଂରକ୍ଷିତ ରଖିଛନ୍ତି। ଆପୋସ ବୁଝାମଣା ଦ୍ବାରା ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେବା ପରେ ଦୁଇ ରାଜ୍ୟ ବିଚାର ବିମର୍ଶ ଓ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନାହିଁ।