ଭାରତ ଆପଣାର ଶତ୍ରୁରାଷ୍ଟ୍ର ଭାବେ ପାକିସ୍ତାନ ଓ ଚାଇନାକୁ ରେଖାଙ୍କିତ କରୁଥିବା ବେଳେ ପରମାଣୁ ପରୀକ୍ଷଣ ଘଟଣା ଏହି ଶତ୍ରୁ ତାଲିକାରେ ଅଘୋଷିତ ଭାବେ ଆମେରିକାକୁ ସାମିଲ କରେ। ଆମେରିକା ଯେତେବେଳେ ଜାଣିବାକୁ ପାଏ, ଯେ ଭାରତ ମଧ୍ୟ ଆଣବିକ ଶକ୍ତି ହେବାକୁ ଯାଉଛି, ସେତେବେଳେ ସମସ୍ତ ଗୁଇନ୍ଦା ତଥ୍ୟ ହାତେଇବାକୁ ଅପଚେଷ୍ଟା କରେ।
କାରଣ ଆମେରିକା ଚାହୁଁ ନ ଥିଲା ଭାରତ ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେଉ। କିନ୍ତୁ ଭାରତୀୟ ସୀମା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ପରମାଣୁ ପରୀକ୍ଷା ଜରୁରୀ ବୋଲି ଦାବି ଉପସ୍ଥାପନ କରିଥିଲେ ମିସାଇଲ୍ ମ୍ୟାନ୍ ତଥା ଭାରତର ଶ୍ରେଷ୍ଠ ବୈଜ୍ଞାନିକ ପ୍ରାତଃସ୍ମରଣୀୟ ଡ. ଏପିଜେ ଅବଦୁଲ କାଲାମ।
ସେତେବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ମାର୍ଚ୍ଚ ମାସ ୨୨ ତାରିଖ ଦିନ କାଲାମ ବାଜପେୟୀଙ୍କୁ ଭେଟନ୍ତି। ପରମାଣୁ ପରୀକ୍ଷଣ ବାବଦ ନିଜର ଅଭିମୁଖ୍ୟ ସ୍ପଷ୍ଟ କରନ୍ତି କଲାମ ଜୀ। ହଁ ଭରିବାକୁ ସମୟ ନିଅନ୍ତି ବାଜପେୟୀ। ଏପ୍ରିଲ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ହଁ ଭରନ୍ତି। କାମରେ ଲାଗି ପଡ଼ନ୍ତି ଝଡର ଇଗଲ ଅବଦୁଲ କଲାମ।
କିନ୍ତୁ ସର୍ତ୍ତ ରୁହେ। ଏହା ଏକ ଗୋପନୀୟ କାର୍ଯ୍ୟକ୍ରମ ହେବ। କଲାମ୍, ବାଜେପୟୀ, ଆଡଭାନୀ, ଯଶୋବନ୍ତ ସିଂ, ଜର୍ଜ ଫର୍ଣ୍ଣାଣ୍ଡିସ, ରାଜଗୋପାଳ ଚିଦାମ୍ବରମଙ୍କ ବ୍ୟତିତ ଅନ୍ୟ କେହି କିଛି ଏ ବିଷୟରେ ଆଲୋଚନା ମଧ୍ୟ କରିବେ ନାହିଁ।
ଆରମ୍ଭ ହେଲା କାମ। ରାତିର ଘୋର ଅନ୍ଧକାର ଭିତରେ ପୋଖରାନରେ ବୈଜ୍ଞାନିକମାନେ କାମ କରୁଥିଲେ।
ଆମେରିକା ଯେପରି ଏ ନେଇ କୌଣସି ବି ସୁରାକ୍ ନ ପାଏ ତାହା ଥିଲା ଏହି ମିଶନର ଲକ୍ଷ। ସେଇଆ ହେଲା। ବଡ଼ କଷ୍ଟରେ କାମ ହେଉଥାଏ। ଉପରୋକ୍ତ ୫ ଜଣ ଯେ କେହି ବି ଏଠାକୁ ଯାଆନ୍ତୁ ସମସ୍ତଙ୍କ ଦେହରେ ଥାଏ ସେନା ପୋଷାକ। ଅଥାତ୍ ସାଟେଲାଇଟ ଚିତ୍ରରେ ମଧ୍ୟ ଏହା କୌଣସି ପରୀକ୍ଷଣ ବ୍ୟବସ୍ଥା ତାହା ଯେପରି ଜଣା ନ ପଡେ। ସାଧାରଣ ସାମରିକ କାର୍ଯ୍ୟ ବୋଲି ସମସ୍ତଙ୍କର ହୃଦବୋଧ ହୁଏ।
ପୋଖରାନରେ ପରୀକ୍ଷା ହେବାକୁ ଥିବା ବୋମାକୁ କୌଣସି ଆର୍ମି ଗାଡ଼ିରେ ଅଣାଯାଇ ନ ଥିଲା। ବରଂ ଭାରତର ଜଣେ ସିକ୍ରେଟ ଏଜେଣ୍ଟ ଟ୍ରକ୍ ଡ୍ରାଇଭର ସାଜି ଏହାକୁ ଏକ ସାଧାରଣ ଟ୍ରକ୍ରେ ଆଣିଥିଲେ। ଭାରତୀୟ ବୈଜ୍ଞାନିକମାନଙ୍କ ଫୋନ ଟ୍ୟାପିଂ ସନ୍ଦେହ ଯୋଗୁ ଭିନ୍ନ ଭିନ୍ନ କୋର୍ଡ ଓ୍ବାର୍ଡରେ ପରମାଣୁ ବୋମାର ନାମ ହ୍ବାଇଟ୍ ହାଉସ୍ ଭାବେ ବ୍ୟବହାର କରାଯାଉଥିଲା।
ଏହା ବ୍ୟତିତ ଆଉ କିଛି ନାଁ ବି ରହିଥିଲା। ଆଜି ଏହି ଘଟଣାକୁ ୨୫ ବର୍ଷ ବିତିଥିଲେ ବି ସ୍ମୃତି ତାଜା ହୋଇ ରହିଛି। ବିସ୍ତୃତି ଗର୍ଭରେ ବିଲିନ ହେଲେଣୀ ଏହି ଅପରେଶନର କର୍ଣ୍ଣଧାର କଲାମ, ବାଜପେୟୀଙ୍କ ଭଳି ଲୋକପ୍ରିୟ ମନସ୍ବୀ ମଣିଷ। ତଥାପି ସେମାନଙ୍କ ପରିକଳ୍ପିତ ପରମାଣୁ ବୋମାର ଉପସ୍ଥିତି ଆମକୁ ଶକ୍ତି ପ୍ରଦାନ କରୁଛି।