ଖବର ମିଳିଛି ଯେ, ଆମ ରାଜ୍ୟରେ ଜଣେ ୮ ବର୍ଷର ଶିଶୁ ଦେହରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଛୁଆଟିର ଚିକିତ୍ସା ଆରମ୍ଭ ହୋଇଛି। ସ୍ବତନ୍ତ୍ର ଆଇସୋଲେସନ ଓ୍ବାଡରେ ରଖି ଶିଶୁଟିର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ପିଲାଟି ପ୍ରକୃତରେ ମଙ୍କିପକ୍ସରେ ପୀଡିତ କି ନାହିଁ ସେ ନେଇ ଯାଞ୍ଚ କରାଯାଉଛି।
ଛୁଆଟିର ରକ୍ତ ନମୂନା, କଫ, ଚର୍ମ ଓ ମୂତ୍ର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି।
ଆପଣ ଭାବୁଥିବା ଶିଶୁଟି ଯଦି ଆନ୍ଧ୍ରରେ ଚିକିତ୍ସାଧୀନ ହେଉଛି, ତା ହେଲେ ଓଡ଼ିଶା ସହ ତାର ସମ୍ପର୍କ କ’ଣ ?
ବାସ୍ତବରେ ୧୫ ଦିନ ପୂର୍ବରୁ ଓଡ଼ିଶାର ଗୋଟିଏ ସୀମାନ୍ତ ଜିଲ୍ଲାରୁ ଜଣେ ଶ୍ରମିକ ଦିନ ମଜୁରୀଆ ଭାବେ ଆନ୍ଧ୍ର ଯାଇଥିଲେ। ସେଠାରେ ତାଙ୍କ ୮ ବର୍ଷର ପୁଅ କାଛୁ କୁଣ୍ଡିଆ ଭଳି କିଛି ଅଜଣା ରୋଗରେ ପଡିଲେ। ଜର ଭଲ ନ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ଡାକ୍ତରମାନେ ତାଙ୍କୁ ମଙ୍କିପକ୍ସ ସନ୍ଦିଗ୍ଧ ବୋଲି ଚିନ୍ତା କରି ଚିକିତ୍ସା ଆରମ୍ଭ କରିଛନ୍ତି। ଯଦି ଏହି ବାଳାଙ୍କ ରିପୋର୍ଟ ପଜିଟିଭ ଆସେ ତା ହେଲେ ସେ ଆନ୍ଧ୍ରର ୨ୟ ମଙ୍କିପକ୍ସ ରୋଗୀ ଓ ଓଡ଼ିଶାର ପ୍ରଥମ ମଙ୍କିପକ୍ସ ରୋଗୀ ଭାବେ ଚିହ୍ନିତ ହେବେ।
ଏପଟେ ଏହି ଘଟଣାକୁ ନେଇ ଓଡ଼ିଶାରେ ତତ୍ପରତା ଦେଖାଦେଇଛି। ଗତକାଲି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଙ୍କିପକ୍ସ ମୁକାବିଲା ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ଏ ନେଇ ଏସସିବି ମେଡିକାଲ କଲେଜରେ ତାମିଲ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଯୋଜନା କରିଛନ୍ତି।